ଫ୍ଲାଇଟରେ ମହିଳାଙ୍କ ଉପରେ ପରିସ୍ରା କରିବା ପଡିଲା ମହଙ୍ଗା, 42 ଦିନ ପରେ ଅଭିଯୁକ୍ତ ଶଙ୍କର ମିଶ୍ରା ଗିରଫ
7/01/2023 at 12:37 PM

ନୂଆଦିଲ୍ଲୀ 07/01 : ଏୟାରଇଣ୍ଡିଆ ଫ୍ଲାଇଟରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଗିରଫ କରିଛି ପୋଲିସ୍। ତାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିବାବେଳେ ଏବେ ତାଙ୍କୁ ଅଣାଯାଇଛି ଦିଲ୍ଲୀ।
ଘଟଣା ଘଟିଥିଲା 26 ନଭେମ୍ବରରେ। ଏୟାର ଇଣ୍ଡିଆ ଫ୍ଲାଇଟ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲା। ସେତେବେଳେ ବିମାନର ବିଜନେସ୍ କ୍ଲାସରେ ଯାତ୍ରା କରୁଥିବା ଶଙ୍କର ମିଶ୍ରା ନିଶାଶକ୍ତ ଅବସ୍ଥାରେ 70 ବର୍ଷୀୟ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଯାହାକୁ ନେଇ ଉକ୍ତ ମହିଳା ଟାଟା ଗ୍ରୁପର ସିଇଓ ଏନ୍ ଚନ୍ଦ୍ରେଶେଖରଙ୍କ ନିକଟରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଥିଲା। ପାଖାପାଖି 42 ଦିନ ପରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଗିରଫ କରିଛି ପୋଲିସ୍।
ସୂଚନାନୁସାରେ, ଏହି ଘଟଣା ପରେ ଫେରାର୍ ଥିଲେ ଶଙ୍କର ମିଶ୍ର। ତାଙ୍କ ବିରୋଧରେ ପୋଲିସ ଏକ ନୋଟିସ ଜାରି କରିଥିଲା। ପରେ ଶଙ୍କର ଶେଷ ଲୋକେସନ୍ ବେଙ୍ଗାଲୁରୁ ଥିଲା, ସେହି ଆଧାରରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା। ଦିଲ୍ଲୀ ପୋଲିସ ସହ ଜଡିତ ସୂତ୍ରରୁ ପ୍ରକାଶ ଯେ, ଜାନୁଆରୀ 3ରେ ବେଙ୍ଗାଲୁରୁରେ ଶଙ୍କର ମିଶ୍ରାଙ୍କ ମୋବାଇଲ୍ ଫୋନ୍ ସକ୍ରିୟ ଥିଲା। କିନ୍ତୁ ଏହା ପରେ ତାଙ୍କ ଫୋନ୍ ବନ୍ଦ ହୋଇଗଲା। ପରେ ଖବର ପାଇ ଦିଲ୍ଲୀ ପୋଲିସ ରାତିସାରା ବେଙ୍ଗାଲୁରୁରେ ଶଙ୍କର ମିଶ୍ରାଙ୍କ ପିଛା କରିଥିଲେ। ଏହା ପରେ ସଞ୍ଜୟ ନଗର ପୋଲିସ ତାଙ୍କୁ ଗିରଫ କରିଥିଲା। ଶଙ୍କରଙ୍କୁ ଚିନାପ୍ପା ହୋମ୍ ଷ୍ଟେରେ ରଖାଯାଇଥିଲା।
ଏହି ଘଟଣା ହାଇଲାଇଟ୍ ହେବା ପରେ ଅଭିଯୁକ୍ତ ଶଙ୍କରଙ୍କୁ ତାଙ୍କ କମ୍ପାନୀ ୱେଲ୍ସ ଫାର୍ଗୋ ଟର୍ମିନେଟ୍ କରିଛନ୍ତି। କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ, ୱେଲ୍ସ ଫାର୍ଗୋ ନିଜ କର୍ମଚାରୀମାନଙ୍କଠାରୁ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଭାବରେ ଉତ୍ତମ ବ୍ୟବହାର କରିବାକୁ ଆଶା ରଖେ। ଏହି ଅଭିଯୋଗ ବହୁତ ବିବ୍ରତ କରିଛି। ତେଣୁ ଶଙ୍କରଙ୍କୁ ୱେଲ୍ସ ଫାର୍ଗୋରୁ ବରଖାସ୍ତ କରାଯାଇଛି । ତଦନ୍ତ ପୂର୍ଣ୍ଣ ସହଯୋଗ କରୁଥିବା କହିଛି କମ୍ପାନୀ।
ଜାତୀୟ ମହିଳା ଆୟୋଗ ମଧ୍ୟ ଏହି ପ୍ରସଙ୍ଗକୁ ବିଚାରକୁ ନେଇଛନ୍ତି। ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା ଦିଲ୍ଲୀ ପୋଲିସ କମିସନରଙ୍କୁ ଏକ ଚିଠି ଲେଖିଛନ୍ତି। ନିୟମ ଅନୁଯାୟୀ, ଜଣେ ବୃଦ୍ଧାଙ୍କୁ ମାନସିକ ଆଘାତ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏୟାର ଇଣ୍ଡିଆ ବିମାନରେ ଏଭଳି ଲଜ୍ଜାଜନକ ଘଟଣା ପ୍ରସଙ୍ଗରେ କଠୋରତା ଦର୍ଶାଇ ଡିଜିସିଏ ଏୟାର ଇଣ୍ଡିଆକୁ ମଧ୍ୟ ଏକ ନୋଟିସ ଜାରି କରିଛି। ଏୟାର ଇଣ୍ଡିଆ ମଧ୍ୟ ଗୁରୁବାର ଦିନ ଡିଜିସିଏକୁ ଏହି ରିପୋର୍ଟ ଦାଖଲ କରିଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ମିଶ୍ରାଙ୍କୁ 30 ଦିନ ପାଇଁ ବାରଣ କରିଛି ବୋଲି କହିଛି।