ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ମୁଖ୍ୟମନ୍ତ୍ରୀ ମୋହନ ମୋଝୀ କଲେ ବଡ଼ ଘୋଷଣା

Published By : Prameya-News7 Bureau | July 19, 2025 IST

ଭୁବନେଶ୍ୱର: ଏଫ୍‌ଏମ୍ କଲେଜରେ ଛାତ୍ରୀଙ୍କ ଆତ୍ମହୂତି ଘଟଣା ପରେ ସରକାର ଆକ୍ସନ ମୋଡକୁ ଆସିଛନ୍ତି । ଶନିବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ । ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଏହା କାର୍ଯ୍ୟ କରିବ । ଏଥିପାଇଁ ଏକ ୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ । ଶକ୍ତିଶ୍ରୀ ମୋବାଇଲ୍‌ ଆପ୍‌ ମଧ୍ୟ କାର୍ଯ୍ୟ କରିବ । 

ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏକ ସ୍ଥାୟୀ "ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର"ର ସ୍ଥାପନ କରାଯିବ, ଯାହା ଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ହେବ । ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା  "ଶକ୍ତିଶ୍ରୀ ସଂଯୋଜିକା" ଭାବରେ କେନ୍ଦ୍ରର ପରିଚାଳନା କରିବେ । ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ବିଶିଷ୍ଟ କାର୍ଯ୍ୟରତ ମହିଳା "ଶକ୍ତି ଅପା" ଭାବରେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ । ପ୍ରତି ୩ ମାସରେ ଥରେ “ଶକ୍ତି ଅପା”ମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର କାର୍ଯ୍ୟ କରିବ । ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଏକ "୬ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ"ର ଆୟୋଜନ କରାଯିବ । ଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାଚରେ ବିଭକ୍ତ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ଆଇନଗତ ଅଧିକାର ତଥା mental health ସମ୍ବନ୍ଧରେ ମଧ୍ୟ ଶିକ୍ଷା ପ୍ରଦାନ କରାଯିବ। ଡିଜିଟାଲ ସୁରକ୍ଷାର ବିଭିନ୍ନ ଦିଗକୁ ନେଇ ସଚେତନ କରାଯିବ। 

ରାଜ୍ୟରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ, ଶକ୍ତିଶ୍ରୀ ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟକାରୀ କରାଯିବ । ଏହା ମାଧ୍ୟମରେ ଛାତ୍ରୀମାନେ କ୍ୟାମ୍ପସରେ ସୁରକ୍ଷିତ ଏବଂ ସଶକ୍ତ ଅନୁଭବ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ରାଜ୍ୟର ସମସ୍ତ ଶକ୍ତିଶ୍ରୀ ସାଥୀ, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତି ଅପାମାନଙ୍କ ପାଇଁ ବାର୍ଷିକ ଏକ ଦିବସୀୟ କର୍ମଶାଳା "ଶକ୍ତି ସ୍ୱରୂପିଣୀ"ର ଆୟୋଜନ କରାଯିବ । ଏହି କର୍ମଶାଳାରେ ମହିଳାମାନଙ୍କର ସାମ୍ବିଧାନିକ ଓ ଆଇନଗତ ଅଧିକାର ସମ୍ବନ୍ଧରେ ସଚେତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

‘ଶକ୍ତିଶ୍ରୀ ଅଭିଯାନ’ର ପ୍ରମୁଖ ବିନ୍ଦୁ

  1. ବିଶ୍ୱବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ
  2. ଛାତ୍ରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ତାଲିମ ଏବଂ ସମର୍ଥନ ପ୍ରଦାନ
  3. ୨୪/୭ ସକ୍ରିୟ ଏକ ଉତ୍ସର୍ଗୀକୃତ ଶକ୍ତିଶ୍ରୀ ମୋବାଇଲ୍ ଆପ୍
  4. ଅଭିଯୋଗ ପରିଚାଳନା ପାଇଁ ଆଭ୍ୟନ୍ତରୀଣ କମିଟି ଗଠନ
  5. ସୁରକ୍ଷିତ ପରିବେଶ ପାଇଁ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପାଇଁ  ଆଚରଣ ସଂହିତା
  6. ଶିକ୍ଷାନୁଷ୍ଠାନ ପ୍ରତିବର୍ଷ ଡିସେମ୍ବର ସୁଦ୍ଧା ବାର୍ଷିକ ସୁରକ୍ଷା ଅଡିଟ୍ ରିପୋର୍ଟ ଦେବେ
  7. କାର୍ଯ୍ୟକ୍ରମର କ୍ରିୟାନ୍ୱୟନର ତଦାରଖ କରିବେ ସରକାର
  8. ଛାତ୍ରୀଙ୍କ ପାଇଁ ନିରାପଦ କ୍ୟାମ୍ପସ ଇକୋସିଷ୍ଟମ ଗଠନ ଉପରେ ଫୋକସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.