ଶୈଳେନ୍ଦ୍ର ହତ୍ୟା ମାମଲା: ପରକିୟା ପ୍ରୀତି ପାଇଁ ହୋଇଥିଲା ହତ୍ୟା, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

Published By : Prameya-News7 Bureau | December 12, 2022 IST

ନୟାଗଡ଼ I କଟକ ୧୨/୧୨: କଟକ ଜିଲ୍ଲାର ୱେବ୍‌ ସାମ୍ୱାଦିକ ଶୈଳେନ୍ଦ୍ର ନିଖୋଜ ଘଟଣାରେ ନୟାଗଡ଼ ପୋଲିସକୁ ମିଳିଛି ସଫଳତା। ତାଙ୍କୁ ପରକିୟା ପ୍ରୀତି ପାଇଁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପୁ ସାହୁର ସ୍ତ୍ରୀ ସୁନିତା ଓ ଦୀପୁର ସାଙ୍ଗ ସୁରେଶକୁ ନେଇ ପୋଲିସ ସିନ୍‌ ରିକ୍ରିଏସନ କରିଛି। ପରକିୟା ପ୍ରିତି ପାଇଁ ଶୈଳେନ୍ଦ୍ରଙ୍କୁ ଦୀପୁ ଓତାର ସହଯୋଗୀ ଅତି ନିର୍ମମ ଭାବେ ହତ୍ଯା କରିଛନ୍ତି। ଶୈଳେନ୍ଦ୍ରଙ୍କୁ ହତ୍ଯା ପରେ ପୋଡିବା ସହ ହାଡ଼ଗୁଡିକ ବସ୍ତାରେ ପୁରାଇ ପୋଖରୀରେ ଫିଙ୍ଗା ହୋଇଥିବା ସ୍ପଷ୍ଟ ହୋଇଛି।

ନୂଆଗାଁ ଥାନା ପାଟୁଳିସାହି ଗାଁର ଦୀପୁ ଓ ତା ସ୍ତ୍ରୀ କଟକରେ ରହୁଥିଲେ। ସେହି ସମୟରେ ଶୈଳେନ୍ଦ୍ରଙ୍କର ଦିପୁର ସ୍ତ୍ରୀ ସହ ପ୍ରେମ ସମ୍ପର୍କ ହୋଇଥିଲା। ଦିପୁ ଏବିଷୟରେ ଜାଣି ସୁନିତାଙ୍କୁ ବାରଣ କରିଥିଲେ। ଏହା ସତ୍ୱେ ବି, ସେ ନଶୁଣିବାରୁ କିଛିଦିନ ହେଲା ପରିବାର ସହ ଗାଁରେ ରହୁଥିଲେ। ଗତ ଡିସେମ୍ୱର ୩ରେ ଶୈଳେନ୍ଦ୍ର ସୁନିତାଙ୍କୁ ଦେଖା କରିବାକୁ ଆସିଥିଲେ । ଏତିକି ବେଳେ ଦୀପୁ ଶୈଳେନ୍ଦ୍ରଙ୍କୁ ଗୋଟିଏ ଲୁହା ଛଡ଼ରେ ଆକ୍ରମଣ କରିଥିଲେ। ପରେ ସହଯୋଗୀଙ୍କ ସହ ମିଶି ଘରଠାରୁ ୨କିମି ଦୁରରେ ଏକ ନିଛାଟିଆ ଜାଗାରେ ପାଳଗଦାରେ ତାଙ୍କୁ ପୋଡିଥିଲେ। ଏହାପରେ ହାଡ଼ଗୁଡିକ ଏକ ବସ୍ତାରେ ପୁରାଇ ପାଖରେ ଥିବା  ପୋଖରୀରେ ଫିଙ୍ଗିଥିଲେ। ସୋମବାର ପୋଲିସ ସୁନିତା ଏବଂ ଦିପୁର ସହଯୋଗୀ ସୁରେଶକୁ ନେଇ ଅପରାଧର ସିନ୍ ରିକ୍ରିଏସନ କରିଥିଲା। ପୋଡ଼ା ହୋଇଥିବା ଜାଗା ଏବଂ ପୋଖରୀରୁ ପୋଡ଼ା ହାଡ଼ଗୁଡିକ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଦିପୁର ସ୍ତ୍ରୀ ଏବଂ ସହଯୋଗୀ ଗ୍ଯାରେଜ ମାଲିକ ସୁରେଶ ସାହୁଙ୍କୁ ପୋଲିସ ଅଟକ ରଖିଥିବାବେଳେ ଦୀପୁ  ଓ ତାର ବାପା ଭାବ ସାହୁ ଫେରାର୍ ଅଛନ୍ତି।

ସହଯୋଗୀ ସୁରେଶ ଦିପୁଙ୍କ ଘର ପାଖେ ଗ୍ଯାରେଜ କରିଥିବା ଜଣାପଡ଼ିଛି। ଦିପୁର ସ୍ତ୍ରୀ ସିନ୍ ରିକ୍ରିଏସନ ବେଳେ ଶୈଳେନ୍ଦ୍ରକୁ ଦିପୁ ହତ୍ଯା କରିଥିବା ସ୍ବୀକାର କରିଛି। ତେବେ ସବୁବେଳେ ଶୈଳେନ୍ଦ୍ର ଦିପୁ ଗାଁକୁ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ମାଡପିଟ କରୁଥିଲା ବୋଲି ସୁନିତା କହିଛି। ସେହିପରି ଶୈଳେନ୍ଦ୍ରକୁ ଯେଉଁ ସ୍ଥାନରେ ପୋଡାଯାଇଥିଲା ଏବଂ ଯେଉଁ ପୋଖରୀରେ ଶୈଳେନ୍ଦ୍ରଙ୍କର ହାଡକୁ ଗୁଣ୍ଡକରି ପକାଯାଇଥିଲା ସେହିସ୍ଥାନରେ ସୁରେଶକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ। କିଭଳି ସେ ହାଡ଼ଗୁଡିକ ପୋଖରୀରେ ପକାଇଥିଲା ତାହା ପୋଲିସ ଆଗରେ କହିବା ସହ ଦେଖାଇଥିଲା ସୁରେଶ। ସିନ୍ ରିକ୍ରିଏସନ ପରେ ସାଇଣ୍ଟିଫିକ ଟିମ୍ ଉଭୟ ପୋଡାଯାଇଥିବା ସ୍ଥାନ ଏବଂ ପୋଖରୀରୁ ବହୁ ହାଡ, ଦାନ୍ତ ଏବଂ ବୋତାମ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.