ୟାସିନ ମଲ୍ଲିକକୁ ନେଇ ଉସୁକାଇବା ପରି ଟୁଇଟ୍ କଲେ ଆଫ୍ରିଦି, ମୁହଁ ବନ୍ଦ କରି ଦେଲେ ଅମିତ୍ ମିଶ୍ରା
25/05/2022 at 4:50 PM

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ଉସୁକାଇବା ପରି ଟିପ୍ପଣୀ କରିଛନ୍ତି। ଏହା ଉପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଅମିତ୍ ମିଶ୍ରା ମୁହଁ ତୋଡ ଜବାବ ଦେଇ ଆଫ୍ରିଦିଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ୟାସିନ ମଲ୍ଲିକକୁ ବୁଧବାର ଟେରର ଫଣ୍ଡିଂ କେସରେ ସଜା ଶୁଣାଯିବ। ଏହାକୁ ନେଇ ଆଫ୍ରିଦି ଟୁଇଟ୍ କରିଛନ୍ତି ଯେ, ଭାରତ ଯେଉଁଭଳି କାଶ୍ମୀରରେ ମାନବାଧିକାର ହନନ ବିରୋଧରେ ସ୍ଵର ଉଠାଉଥିବା ଲୋକଙ୍କୁ ଚୁପ୍ କରାଇବାକୁ ଉଦ୍ୟମ କରୁଛି ତାହା କଦାପି ଗ୍ରହଣୀୟ ନୁହେଁ।
ସେ ଲେଖିଛନ୍ତି, ମାନବାଧିକାରର କ୍ଷୂର୍ଣ୍ଣ ବିରୋଧରେ ମୁହଁ ଖୋଲୁଥିବା ଲୋକଙ୍କୁ ଭାରତ ଯେଉଁଭଳି ଚୁପ୍ କରାଇବାକୁ ଚେଷ୍ଟା କରୁଛି, ତାହା ନିରର୍ଥକ ଅଟେ। ୟାସିନ ମଲ୍ଲିକଙ୍କ ବିରୋଧରେ ମନଗଢା ଅଭିଯୋଗ କାଶ୍ମୀରର ସ୍ଵାଧୀନତାର ସଂଘର୍ଷକୁ ରୋକି ପାରିବ ନାହିଁ। କାଶ୍ମୀରର ନେତାଙ୍କ ବିରୋଧରେ ଏହି ଧରଣର କାର୍ଯ୍ୟାନୁଷ୍ଠାନକୁ ନେଇ ୟୁଏନକୁ ଅପିଲ୍ କରୁଛି ଯେ, ସେ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ।

ଏହା ଉପରେ ଅମିତ୍ ମିଶ୍ରା ଜବାବ ଦେଇ ଲେଖିଛନ୍ତି, ପ୍ରିୟ ସାହିଦ ଆଫ୍ରିଦି ସେ କୋର୍ଟ ରୁମରେ ଦୋଷ ସ୍ଵୀକାର କରିବା ସହ ନିଜକୁ ଦୋଷୀ ମାନିଛନ୍ତି। ତୁମ ବାର୍ଥ ଡେ ପରି ସବୁ କିଛି ମିସଲିଡିଂ ହୋଇ ପାରିବ ନାହିଁ। ଅମିତ୍ ମିଶ୍ରାଙ୍କ ଏହି ଟୁଇଟ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହା ପୂର୍ବରୁ ମଧ୍ୟ ଆଫ୍ରିଦି ଅନେକ ଥର କାଶ୍ମୀର ପ୍ରସଙ୍ଗରେ ଉସୁକାଇବା ପରି ଟୁଇଟ୍ କରି ସାରିଛନ୍ତି।