ସାହିନବାଗରେ ସିଏଏ ବିରୋଧରେ କରୁଥିଲେ ଆନ୍ଦୋଳନ, ଏବେ ପଦ୍ମ ଧରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଶେହଜାଦ ଅଲି

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୦୮: କିଛି ଦିନ ପୂର୍ବେ ବିଜେପିକୁ ଘୋର ବିରୋଧ କରୁଥିବା ତଥା ସାହିନବାଗରେ ସରକାର ବିରୋଧରେ ସ୍ଵର ଉତ୍ତୋଳନ କରୁଥିବା ସାମାଜିକ କାର୍ଯ୍ୟକର୍ତ୍ତା ଶେହଜାଦ ଅଲି ବିଜେପିରେ ଯୋଗ ଦେଇଛନ୍ତି। ସେ ଦୀର୍ଘ ଦିନ ଧରି ମୁସଲିମଙ୍କ ଅଧିକାର ପାଇଁ କାମ କରୁଥିଲେ ଏବଂ ବିଜେପି, ଆରଏସଏସକୁ ବିରୋଧ କରୁଥିଲେ। ଏବେ ତାଙ୍କ କହିବା କଥା ବିଜେପି ମୁସଲମାନଙ୍କ ଶତ୍ରୁ ନୁହଁନ୍ତି। ଆମ ସମୁଦାୟର କିଛି ଲୋକ ବିଜେପିକୁ ନିଜର ଶତ୍ରୁ ଭାବନ୍ତି, ମୁଁ ସେମାନଙ୍କୁ ଭୁଲ୍ ସାବ୍ୟସ୍ତ କରିବାକୁ ଚାହୁଁଛି।

ଦିଲ୍ଲୀ ବିଜେପି ପ୍ରଦେଶ ସଭାପତି ଆଦେଶ ଗୁପ୍ତାଙ୍କ ଉପସ୍ଥିତିରେ ଶେହଜାଦ ଅଲି ଆଜି ବିଜେପିରେ ସାମିଲ ହୋଇଛନ୍ତି। ପଦ୍ମ ଧରିବା ପରେ ସେ କହିଛନ୍ତି ମୁଁ ବିଜେପିରେ ସାମିଲ ହୋଇ ଯାଇଛି, ଯଦ୍ଵାରା ନିଜ ସମୁଦାୟର ସେହି ଲୋକଙ୍କୁ ଭୁଲ ସାବ୍ୟସ୍ତ କରିବି ଯେଉଁମାନେ ଏହି ପାର୍ଟିକୁ ନିଜର ଶତ୍ରୁ ବୋଲି ଭାବନ୍ତି। ସିଏଏ ମାମଲାରେ ଏକାଠି ବସି ଆଲୋଚନା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସାହିନବାଗରେ ଧାରଣା ଶେଷ ହେବା ପରଠୁ ତାଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସେ ସାମାଜିକ ଗଣମାଧ୍ୟମରେ ସରକାରଙ୍କ ପକ୍ଷ ନେବ ଆରମ୍ଭ କରି ଦେଇଥିଲେ।

wp:html /wp:html

ନାଗରିକତା ସଂଶୋଧନ ଆଇନକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିଲା। ଏହି ସମୟରେ ସାହିନବାଗ ବିରୋଧର କେନ୍ଦ୍ରସ୍ଥଳ ପାଲଟି ଥିଲା। ଏଠାରେ ମହିଳାମାନେ ପାଖାପାଖି ତିନି ମାସ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ଏହି ସମୟରେ ପୂରା ଦେଶରେ ସିଏଏ ବିରୋଧକାରୀଙ୍କ ଭିଡ ସାହିନବାଗରେ ଦେଖିବାକୁ ମିଳିଥିଲା। ଶେହଜାଦ ଅଲି ମଧ୍ୟ ବହୁତ ସକ୍ରିୟ ଥିଲେ ଏବଂ ସିଏଏ ବିରୋଧରେ ମୁଖର ହୋଇ ନିଜର ପ୍ରତିକ୍ରିୟା ରଖୁଥିଲେ। ଏହା ପୂର୍ବରୁ ସେ ବିଜେପି ଓ ଆରଏସଏସ ବିରୋଧୀ ବୟାନ ଦେଉଥିଲେ।

ସାହିନବାଗରେ ଧାରଣା ସମାପ୍ତ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ହସ୍ତକ୍ଷେପ କରିଥିଲେ ଏବଂ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବାକୁ ଦୁଇ ଜଣ ଓକିଲଙ୍କୁ ନିଯୁକ୍ତ କରିଥିଲେ। ତଥାପି ଏହାର ସମାଧାନର ବାଟ ବାହାରି ପାରିନଥିଲା। ମାତ୍ର କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଏହି ଧାରଣା ଆପେ ଆପେ ସମାପ୍ତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.