ଫଟୋ ଦେଖାଇ କଂଗ୍ରେସକୁ ଘେରିଲେ ଶାହା, କହିଲେ- ମୁଁ ନୁହେଁ, ଟାଗୋରଙ୍କ ଚୌକିରେ ନେହେରୁ ବସିଥିଲେ, ରାଜୀବ ତ ଆରାମରେ ଚା ପିଉଥିଲେ

Published By : Prameya-News7 Bureau | February 09, 2021 IST

ନୂଆଦିଲ୍ଲୀ ୦୯।୦୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଆଉ ବେଶି ଦୂର ନୁହେଁ। ଏବେଠୁ ଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କୁ ନେଇ ରାଜନୈତିକ ପାର୍ଟି ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇ ଗଲାଣି। ଏହି କ୍ରମରେ ମଙ୍ଗଳବାର ଲୋକସଭାରେ ପୁଣି ଥରେ ଟାଗୋରଙ୍କ କୁର୍ସିରେ ବସିବା ନେଇ ତର୍କ ବିତର୍କ ହୋଇଛି। ଉଲ୍ଲେଖଯୋଗ୍ୟ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସୋମବାର  ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ଉପରେ ଆରୋପ ଲଗାଇଥିଲେ ଯେ, ନିକଟରେ ଶାନ୍ତିନିକେତନ ଗସ୍ତରେ ଅମିତ୍ ଶାହା ଟାଗୋରଙ୍କ ଚୌକିରେ ବସିଥିଲେ। ଚୌଧୁରୀଙ୍କ ଏହି ଆରୋପକୁ ନେଇ ମଙ୍ଗଳବାର ଅମିତ୍ ଶାହା ପ୍ରମାଣ ସହ ଜବାବ ଦେଇଛନ୍ତି। ସେ କହିଛନ୍ତି ମୁଁ ଚୌକିରେ ବସି ନାହିଁ, ମାତ୍ର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ ରାଜୀବ ଗାନ୍ଧୀ ବସିଥିଲେ।

ସ୍ଵରାଷ୍ଟ୍ର ମନ୍ତ୍ରୀ ଶାହା ଦସ୍ତାବିଜ୍ ଦେଖାଇ କହିଛନ୍ତି, ଏହା ବିଶ୍ଵ ଭାରତୀର ଉପକୂଳପତିଙ୍କ ପତ୍ର। ମୁଁ ତାଙ୍କୁ କହିଥିଲି ଯେ, ସମସ୍ତ ଫଟୋ ଓ ଭିଡିଓର ତଜର୍ମା କରି କୁହନ୍ତୁ ଯେ ମୁଁ କେଉଁଠି ବସିଥିଲି ? ସେ ସ୍ପଷ୍ଟ କରିଛନ୍ତି ଯେ, ଏମିତି କୌଣସି ଘଟଣା ଘଟିନାହିଁ। ମୁଁ ଏକ କବାଟ ନିକଟରେ ବସିଥିଲି, ଯେଉଁଠି ଯିଏ କେହି ବି ବସି ପାରିବେ। ଅମିତ୍ ଶାହା କହିଛନ୍ତି, ଯେଉଁଠି ସେ ବସିଥିଲେ, ସେଠାରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ଦା ବସିଥିଲେ। ରାଜୀବ ଗାନ୍ଧୀ ବସିଥିଲେ ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ମନ୍ତ୍ରୀ ମଧ୍ୟ ସେଠାରେ ବସି ନିଜର ମତାମତ ଲେଖିଥିଲେ। ଗୃହମନ୍ତ୍ରୀ କହିଛନ୍ତି, ଯେବେ ଆମେ ଗୃହର କଥା କହିଥାଉ ତେବେ ପ୍ରଥମେ ତଥ୍ୟର ଯାଞ୍ଚ ଏବଂ ତର୍ଜମା କରିବା ଉଚିତ୍। ସାମାଜିକ ଗଣମାଧ୍ୟମର ଗୁଜବରେ ପଡିଲେ ଗୃହର ଗରିମା କ୍ଷୂର୍ଣ୍ଣ ହୋଇଥାଏ ବୋଲି ସେ କହିଛନ୍ତି।

କଂଗ୍ରେସ ନେତାଙ୍କ ଉପରେ ଆକ୍ଷେପ କରି ଶାହା କହିଛନ୍ତି, ମୁଁ ଏଥିରେ ସେମାନଙ୍କର ଦୋଷ ଦେଖୁନାହିଁ। କାରଣ ତାଙ୍କ ପାର୍ଟିର ବ୍ୟାକଗ୍ରାଉଣ୍ଡ କିଛି ଏମିତି। ଫଟୋ ଦେଖାଇ ଅମିତ୍ ଶାହା କହିଛନ୍ତି, ମୋ ପାଖରେ ଦୁଇଟି ଫଟୋଗ୍ରାଫ ରହିଛି। ପ୍ରଥମ ଫଟୋରେ ଜବାହରଲାଲ ନେହେରୁ ଟାଗୋରଙ୍କ ଚୌକିରେ ବସିଛନ୍ତି। ଏହି ଫଟୋଗ୍ରାଫ ରେକର୍ଡରେ ମଧ୍ୟ ରହିଛି। ଦ୍ଵିତୀୟ ଫଟୋରେ ରାଜୀବ ଗାନ୍ଧୀ ତ ଟାଗୋରଙ୍କ ସୋଫାରେ ବସି ଆରାମରେ ଚା ପିଉଛନ୍ତି।

ଗୃହ ମନ୍ତ୍ରୀ ଲୋକସଭା ବାଚସ୍ପତିଙ୍କୁ କହିଛନ୍ତି, ମୋର ଅନୁରୋଧ ଯେ ଏହି କଥାକୁ ରେକର୍ଡରେ ସ୍ପଷ୍ଟ ଭାବେ ଉଲ୍ଲେଖ କରି ଦିଆଯାଉ। ମୁଁ ଅଧୀର ରଞ୍ଜନ ଚୌଧୁରୀଙ୍କ ଅପିଲ୍‌ କ୍ରମେ ଏହାକୁ ଗୃହରେ ରଖୁଛି। ଏହା ପରେ ବାଚସ୍ପତି ଶାହାଙ୍କ ଏହି ଅପିଲ୍‌କୁ ସ୍ଵୀକାର କରି ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.