ଦିଲ୍ଲୀ କାର୍ ଧକ୍କାରେ ଅଞ୍ଜଳିଙ୍କ ହତ୍ୟା ଘଟଣା: ପରିବାରକୁ ସହଯୋଗର ହାତ ବଢାଇଲେ ଶାହରୁଖ ଖାନ୍
7/01/2023 at 5:13 PM

ମୁମ୍ବାଇ: ଦିଲ୍ଲୀରେ ୨୦ ବର୍ଷୀୟା ଯୁବତୀ ଅଞ୍ଜଳି ସିଂହଙ୍କୁ କିଛି ଅସାମାଜିକ ମଦ୍ୟପ ଯୁବକ ଗାଡ଼ି ଧକ୍କା ଦେଇ ୧୨ କିମି ଘୋଷାରି ନେଇ ହତ୍ୟା କରିବା ଘଟଣା ସାରା ଦେଶରେ ଚହଳ ପକାଇଥିଲା। ତାଙ୍କ ଗୋଡ଼ ଗାଡ଼ି ଚକାର ଫସିଯିବା କାରଣରୁ ସେ ଭିତରକୁ ଟାଣି ହୋଇଯାଇଥିଲେ ବୋଲି ଫୋରେନ୍ସିକ୍ ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇ ସାରିଥିବା ବେଳେ ତଦନ୍ତ ଜାରି ରହିଛି।
ଅଞ୍ଜଳି ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିଲେ। ତାଙ୍କ ପରିବାରରେ ସେ ଏକମାତ୍ର ରୋଜଗାରିଆ ଝିଅ ଥିଲେ। ତେଣୁ ତାଙ୍କ ବିୟୋଗ ଦୁଃଖ ସହ ଏବେ ପରିବାର ପ୍ରତିପୋଷଣ ଚିନ୍ତା ବଢ଼ିଯାଇଛି। ଆଉ ଏହି ସମୟରେ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାନ୍। ଅଭିନେତାଙ୍କ ଏନ୍ଜିଓ ‘ମୀର ଫାଉଣ୍ଡେସନ’ ଅଞ୍ଜଳିଙ୍କ ପରିବାରକୁ ଆର୍ଥିକ ସହଯୋଗ କରିଥିବା ସୂଚନା ମିଳିଛି। ତେବେ କେତେ ଟଙ୍କା ସହଯୋଗ କରାଯାଇଛି ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ।
ମିଳିଥିବା ରିପୋର୍ଟ ଅନୁସାରେ, ବିଶେଷ କରି ଅଞ୍ଜଳିଙ୍କ ଭାଇଭଉଣୀଙ୍କୁ ସହଯୋଗ କରିବା ସହ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସହଯୋଗ ଯୋଗାଇ ଦେବା ମୀର ଫାଉଣ୍ଡେସନ ଲକ୍ଷ୍ୟ ବୋଲି ରିପୋର୍ଟରେ କୁହାଯାଇଛି।
ସୂଚନା ଥଉକି ଶାହରୁଖ ଖାନଙ୍କ ତାଙ୍କ ବାପା ମୀର ତାଜ୍ ମହମ୍ମଦଙ୍କ ସ୍ମୃତିରେ ମୀର ଫାଉଣ୍ଡେସନ ଗଠନ କରିଛନ୍ତି। ଏହି ଫାଉଣ୍ଡେସନ ମହିଳା ଓ ପିଲାମାନଙ୍କ ବିପଦ ସମୟରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଆସୁଛି। ତେବେ ଆଗକୁ ଶାହରୁଖ ଖାନ୍ଙ୍କ ଫିଲ୍ମ ପଠାନ ଆସୁଥିବାରୁ ସେ ଫିଲ୍ମର କାମ ନେଇ ବ୍ୟସ୍ତ ଅଛନ୍ତି।
ତେବେ ରିଲିଜ୍ ହେବା ପୂର୍ବରୁ ପଠାନ ବିବାଦରେ ଫସିଯାଇଛି। ବେସରମ ରଙ୍ଗ ଗୀତରେ ଗେରୁଆ ବସ୍ତ୍ର ପିନ୍ଧି ଦୀପିକାଙ୍କ ନୃତ୍ୟ ଋଢ଼ିବାଦୀଙ୍କୁ ଅଶ୍ଲିଳ ଲାଗିଛି। ଏଣୁ ଫିଲ୍ମକୁ ରିଲିଜ୍ କରାଇ ନଦେବା ଓ ବୟକଟ୍ କରିବା ଟ୍ରେଣ୍ଡ ଜାରି ରହିଛି।