ମୁମ୍ଵାଇ ୧୯।୦୪: ୨୦୨୩ରେ ବକ୍ସ ଅଫିସ୍ରେ ରାଜ୍ କରିବା ପରେ ଚବିଶରେ ସେଇ ଧାରା ବଜାୟ ରଖିବାକୁ ଯୋଜନା ଚଳାଇଛନ୍ତି କିଙ୍ଗ୍ ଖାନ୍ । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟ ହେଉଛି ‘ଦ କିଙ୍ଗ୍’ । ଏହି ଆକ୍ସନ୍-ପ୍ୟାକ୍ଡ ଫିଲ୍ମ ଜରିଆରେ ସିନେ ଦୁନିଆରେ ପ୍ରବେଶ କରିବେ ତାଙ୍କ ଝିଅ ସୁହାନା । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା, ସୁହାନାଙ୍କ ପ୍ରଥମ ଫିଲ୍ମ ‘ଦ କିଙ୍ଗ୍’ରେ ଶାହରୁଖ୍ଙ୍କ ଝଲକ୍ ଦେଖିବାକୁ ମିଳିବ ।
କିନ୍ତୁ ରିପୋର୍ଟ ଅନୁସାରେ, ଫିଲ୍ମରେ ଶାହରୁଖ୍ଙ୍କୁ ଲିଡ୍ ରୋଲ୍ ଦେବା ପାଇଁ କାହାଣୀରେ ପରିବର୍ତ୍ତନ ହୋଇଛି । ‘କାହାନୀ’, ‘ବଦ୍ଲା’, ‘ଜାନେ ଜାନ୍’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସୁଜୟ ଘୋଷ ‘ଦ କିଙ୍ଗ୍’ର ନିର୍ଦ୍ଦେଶନା ଦାୟିତ୍ୱ ହାତକୁ ନେଇଛନ୍ତି । ଏହାର ଆକ୍ସନ୍ ସିକ୍ୱେନ୍ସକୁ କୋରିଓଗ୍ରାଫ୍ କରିବେ ସିଦ୍ଧାର୍ଥ ଆନନ୍ଦ । ‘ପଠାନ୍’ରେ ସେ ଶାହରୁଖ୍ଙ୍କ ସହ କାମ କରିଥିଲେ । ‘ଦ କିଙ୍ଗ୍’ର ବଜେଟ୍ ୨୦୦ କୋଟି ଆକଳନ କରାଯାଇଛି । କିନ୍ତୁ ଏହାଠୁ ଅଧିକ ଖର୍ଚ୍ଚ ହେବ ବୋଲି ଶୁଣିବାକୁ ମିଳୁଛି ।
ଫିଲ୍ମରେ ସୁହାନାଙ୍କ ଚରିତ୍ରର ମେଣ୍ଟର୍ ଭୂମିକାରେ ଶାହରୁଖ୍ ନଜର ଆସିବେ । ୧୯୯୪ ମସିହାର ବହୁଚର୍ଚ୍ଚିତ ହଲିଉଡ୍ ଆକ୍ସନ୍ ଫିଲ୍ମ ‘ଲିଓନ୍’ଠୁ ଏହା ପ୍ରେରିତ ବୋଲି ଚର୍ଚ୍ଚା ହେଉଛି । ଚଳିତ ବର୍ଷ ଶେଷ ବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ଆସନ୍ତା ବର୍ଷ ଏହାର ରିଲିଜ୍ ଯୋଜନା ରହିଛି । ସେପଟେ, ଓଟିଟିରେ ମୁକ୍ତିପ୍ରାପ୍ତ ଫିଲ୍ମ ‘ଦ ଆର୍ଚିଜ୍’ ଜରିଆରେ ଚଳିତ ବର୍ଷ ଅଭିନୟ କ୍ଷେତ୍ରରେ ପ୍ରବେଶ କରିସାରିଛନ୍ତି ସୁହାନା । ‘ଦ କିଙ୍ଗ୍’ ଜରିଆରେ ସେ ପ୍ରଥମ ଥର ଥିଏଟରରେ ପଦାର୍ପଣ କରିବେ।