ଚାଲିଥିଲା ସେକ୍ସ ରାକେଟ୍, ଅସଞ୍ଜତ ଅବସ୍ଥାରେ ଠାବ କଲା ପୋଲିସ, ୨୪ ବର୍ଷୀୟା ଯୁବତୀ ଉଦ୍ଧାର

Published By : Prameya-News7 Bureau | August 23, 2020 IST

କଟକ,୨୩/୦୮: କଟକ ସହରର ପୂର୍ବାଞ୍ଚଳ ବିଦ୍ୟାଧରପୁର ଇଲାକାରେ ଦୀର୍ଘ ଦିନ ହେଲା ଚାଲିଥିବା ଏକ ସେକ୍ସ ରାକେଟକୁ ଚାଉଳିଆଗଞ୍ଜ ଥାନା ପୁଲିସ ଠାବ କରିଛି । ଏହି ଘଟଣାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁଲିସ ଜଣେ ଗ୍ରାହକ ସମେତ ରାକେଟ୍ ଚଲାଉଥିବା କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରିଛି । ଆଜି ଅଭିଯୁକ୍ତ ଦୁହିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଧରପୁର ଅଞ୍ଚଳର ଏକ ଭଡ଼ା ଘରେ ଦୀର୍ଘ ଦିନ ହେଲା ସେକ୍ସ ରାକେଟ୍ ଚାଲୁଥିବାର ଅଭିଯୋଗ ହୋଇଆସୁଥିଲା । ସ୍ଥାନୀୟ ଲୋକେ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖି ପୁଲିସକୁ ଖବର ଦେଇ ଆସୁଥିଲେ । ଶନିବାର ଦିନ ବେଳେ ଉକ୍ତ ଘରେ ଏଭଳି କିଛି ଅସାମାଜିକ କାର୍ଯ୍ୟ ଚାଲିଥିବା ପୁଲିସକୁ ଖବର ମିଳିଥିଲା। ସଙ୍ଗେ ସଙ୍ଗେ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ଉକ୍ତ ଘରୁ ଜଣେ ଯୁବତୀ ଓ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଠାବ କରିଥିଲେ । ସେହି ଘରେ ରହୁଥିବା ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ କାବୁ କରିଥିଲା । ଥାନାରେ ଜେରା ବେଳେ ବ୍ୟକ୍ତିଜଣକ ସେଠାରେ ସେକ୍ସ ରାକେଟ୍ ଚଲାଉଥଲା ଓ ଯୁବକ ଜଣେ ଗ୍ରାହକ ଥିଲା ବୋଲି ଉକ୍ତ ବ୍ୟକ୍ତି ପୁଲିସ ଆଗରେ ସ୍ୱୀକାର କରିଛି । ଉଦ୍ଧାର ହୋଇଥିବା ୨୪ ବର୍ଷିୟା ଯୁବତୀ ଜିଲ୍ଲା ବାହାରର । ସେଠାକୁ ସେ କିପରି ଆସିଲେ ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଘରେ ରହୁଥିବା ୪୮ ବର୍ଷିୟ ବ୍ୟକ୍ତି ଓ ଗ୍ରାହକ ହୋଇ ଆସିଥିବା ୪୨ ବର୍ଷିୟ ଯୁବକଙ୍କୁ ଚାଉଳିଆଗଞ୍ଜ ଥାନା ପୁଲିସ ଗିରଫ କରିଛି ।

ସେଠାରେକେବେଠାରୁ ଏହି ବ୍ୟବସାୟ ଚାଲିଥିଲା, ପ୍ରତିଦିନ କେତେ ଗ୍ରାହକ ଆସୁଥିଲେ, ସେଠାକୁ ସେହି ଜଣେ ଯୁବତୀ ଆସିଥିଲେ ନା ଅଧିକ ଯୁବତୀ ଆସୁଥିଲେ, ସେସବୁର ତଦନ୍ତ ଚାଲୁ ରହିଛି । ରବିବାର ଏହି ଘଟଣା ନେଇ ପୁଲିସ ବିସ୍ତୃତ ସୂଚନା ପ୍ରଦାନ କରିବ ବୋଲି କହିଛି । ଅନ୍ୟପଟେ ଦୀର୍ଘ ଦିନ ପରେ ସହରରୁ ଏକ ସେକ୍ସ ର‌୍ୟାକେଟ୍‌ ଠାବ ହେବା ଘଟଣା ଆଜି ସହରରେ ଆଲୋଡନ ଖେଳାଇ ଦେଇଛି । କରୋନା ମହାମାରୀ ସମୟରେ ବଞ୍ଚିବା ପାଇଁ ସମସ୍ତେ ସଂଘର୍ଷ କରୁଥିବା ବେଳେ କଟକରେ ଏଭଳି ସୁସଂଗଠିତ ଭାବେ ଅନୈତିକ କାମ ହେବା ପୁଲିସ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.