ମୁମ୍ବାଇରେ ଭୟଙ୍କର ଝଡ଼-ତୋଫାନ, ବିଲ୍‌ ବୋର୍ଡ ଖସିପଡ଼ିବାରୁ ୫୭ରୁ ଅଧିକ ଆହତ, ଚାପି ହୋଇ ରହିଛନ୍ତି ୧୦୦ରୁ ଅଧିକ

Published By : Prameya-News7 Bureau | May 13, 2024 IST

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସୋମବାର ଭୟଙ୍କର କାଳବୈଶାଖୀ ଦେଖିବାକୁ ମିଳିଛି। ଆଉ ଏଥିରେ ମୁମ୍ବାଇ ଘାଟକୋପର ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ଏକ ବିରାଟ ବିଜ୍ଞାପନ ହୋର୍ଡିଂ ଖସିପଡ଼ିବାରୁ ପ୍ରାୟ ୫୭ ଜଣ ଆହତ ହୋଇଛନ୍ତି।ବଡ଼ କଥା ହେଉଛି ଏହି ହୋର୍ଡିଂ ଏକ ପେଟ୍ରୋଲ ପମ୍ପ ନିକଟରେ ଲାଗିଥିଲା । ପ୍ରକୃତରେ ବର୍ଷା-ପବନ କାରଣରୁ ଅନେକ ଲୋକ ପେଟ୍ରୋଲ ପମ୍ପରେ ଆଶ୍ରୟ ନେଇଥିଲେ । ଏବେବି୧୦୦ରୁ ଅଧିକ ହୋର୍ଡିଂ ତଳେ ଫସିଛନ୍ତି।

ସୂଚନା ଅନୁଯାୟୀ, ସୋମବାର ଦ୍ବିପ୍ରହରରେ ଆସିଥିବା ଝଡ଼ ସମୟରେ ପବନର ବେଗ ୪୦ରୁ ୫୦ କିମି ପ୍ରତିଘଣ୍ଟା ରହିଥିଲା।ତେବେ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ପରେ ଆହତଙ୍କୁ ମଧ୍ୟ ଭେଟିବାକୁ ହସ୍ପିଟାଲ ଯିବେ।

ସେପଟେ ଘଟଣାରେ ବିଏମସି ତରଫରୁ ପୋଲିସରେ ଏକ ମାମଲା ରୁଜୁ ହୋଇଛି। ରେଲଓ୍ବେ ଏବଂ ହୋର୍ଡିଂ ଲଗାଇଥିବା ପ୍ରାଇଭେଟ କମ୍ପାନି ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ପୋଲିସ ଅନୁଯାୟୀ, ଘଟଣା ରମାବାଈ ଅଞ୍ଚଳର। ଅନେକ କାର୍‌ ବାଇକ ହୋର୍ଡିଂ ତଳେ ଚାପି ହୋଇ ରହିଛି। ହୋର୍ଡିଂ ଲୁହା ଆଙ୍ଗେଲରେ ଲଗାଯାଇଥିଲା। ଏହି କାରଣରୁ ଅଧିକ କ୍ଷତି ହୋଇଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.