ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ୍', ରବିବାର ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ୍

Published By : Prameya-News7 Bureau | May 26, 2024 IST

ଭୁବନେଶ୍ବର ୨୬।୫: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ରବିବାର ମଧ୍ୟରାତ୍ରିରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବାତ୍ୟା 'ରେମାଲ୍‌’ ଲ୍ୟାଣ୍ଡଫଲ୍‌ କରିବା  ସମୟରେ ୧୧୦ରୁ ୧୨୦ କି.ମି. ବେଗରେ ପବନ ବହିପାରେ । ପବନର ଝଟ୍‌କା ୧୩୫ କି.ମି. ଯାଏ ଅନୁଭୂତ ହେବ ବୋଲି ଆକଳନ କରାଯାଇଛି । 

'ରେମାଲ୍‌’ ପ୍ରଭାବରେ ପଶ୍ଚିମବଙ୍ଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗାଙ୍ଗେୟ ପଶ୍ଚିମବଙ୍ଗର ପୂର୍ବ ଭାଗରେ ଓ ବାଂଲାଦେଶକୁ ଲାଗିଥିବା ଅଞ୍ଚଳରେ ୨୬ ଓ ୨୭ ତାରିଖ ଦୁଇ ଦିନ ଅତି ପ୍ରବଳ ବର୍ଷା ହେବ । ୨୮ ତାରିଖରେ ବି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବାତ୍ୟା ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୬ ଏବଂ ୨୭ ତାରିଖ ଉତ୍ତର ଉପକୂଳ ଓଡ଼ିଶାରେ ଭାରୀ ବର୍ଷା ହୋଇପାରେ । ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ତେବେ 'ରେମାଲ୍‌’ ତୀବ୍ର ବାତ୍ୟା ରୂପ ନେଇ ସାରିଛି । ରବିବାର ମଧ୍ୟରାତ୍ରିରେ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

ସେପଟେ ବାତ୍ୟା 'ରେମାଲ୍‌’ ପାଇଁ ଦୀଘା ସମୁଦ୍ର କୂଳ ଖାଲି କରିଦିଆଯାଇଛି । ଏଥିସହି ଦିନ ୧୨ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ ବିମାନ ସେବା ଉପରେ କଟକଣା ଜାରି କରାଯାଇଛି । ପଶ୍ଚିମବଙ୍ଗ-ଭୁବନେଶ୍ୱର ରୁଟ୍‌ରେ କିଛି ଟ୍ରେନ୍ ବାତିଲ କରାଯାଇଥିବା ସୂଚନା ମିଳିଛି । ୭ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ରିଲିଫ କ୍ୟାମ୍ପ ମଧ୍ୟ ଖୋଲାଯାଇଛି । ଏଥିସହିତ ସମୁଦ୍ର କୂଳିଆ ଲୋକଙ୍କ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ କରାଯାଉଛି। ମାଇକ୍ ଯୋଗେ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି ।

You Can Read :

ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ, ଚଳିତ ବର୍ଷ ପାସ୍‌ ହାର ୯୬.୦୭ ପ୍ରତିଶତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.