ବିବାହିତ ମହିଳାଙ୍କୁ ନେଇ ଚାଲିଗଲା ପୁଅ, ପ୍ରତିଶୋଧରେ ବାପା-ଭଉଣୀ ସମେତ ୭ଜଣଙ୍କୁ ମାରି ନଦୀରେ ଫିଙ୍ଗିଲେ ବିରୋଧୀ
25/01/2023 at 1:15 PM

ପୁଣେ ୨୫।୦୧ : ଗୋଟିଏ ପରିବାରର ୭ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣାରେ ବଡ ଖୁଲାସା । ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ନେଇ କହିଛି ପୋଲିସ । ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ମଧ୍ୟ ରଖିଛି ପୋଲିସ।
ଖବର ଅନୁଯାୟୀ, ମହାରାଷ୍ଟ୍ରର ପୁଣେରେ ଜାନୁୟାରୀ ୧୭ରେ ଭୀମା ନଦୀ କୂଳରେ ଗୋଟିଏ ପରିବାରର ୭ ସଦସ୍ୟଙ୍କ ମୃତଦେହ ମିଳିଥିଲା। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ଦମ୍ପତି, ସେମାନଙ୍କ ଝିଅ ,ଜ୍ବାଇଁ ଏବଂ ତିନି ନାତି ରହିଥିଲେ । ଯାହା ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ଘଟଣାରେ ନୂଆ ମୋଡ ଆସିଛି । ପୋଲିସର ତଦନ୍ତରୁ ପ୍ରଥମେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲା । କିନ୍ତୁ ପରେ ସମସ୍ତଙ୍କୁ ହତ୍ୟା କରାଯାଇ ନଦୀରେ ଫିଙ୍ଗି ଦିଆଯାଇଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି ।
ପୂର୍ବ ସୂଚନା ଅନୁଯାୟୀ, ମୃତକଙ୍କ ପୁଅ ଜଣେ ବିବାହିତ ମହିଳାଙ୍କୁ ଅପହରଣ କରି ନେଇଥିଲା ଏବଂ ପରେ ଫେରିନଥିଲା । ଏନେଇ ପୂରା ପରିବାର ଭୀମା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଦାବି କରାଯାଇଥିଲା। କିନ୍ତୁ ଏବେ ପୋଲିସ ସ୍ପଷ୍ଟ କରିଛି ଯେ, ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ମାମଲା। ସମସ୍ତ ମୃତଦେହ ନଦୀ ଠାରୁ ପ୍ରାୟ ୨୦୦ ରୁ ୩୦୦ମିଟର ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା ।