ମକରମେଳାରେ ୭ଟି ସୁନା ହାର ଲୁଟ୍; ୬ ମହିଳା ଥାନାରେ ଅଟକ
15/01/2023 at 11:30 PM

ଭୋଗରାଇ ୧୫/୦୧: ମକର ମେଳାରେ ଭିଡ଼ର ସୁଯୋଗ ନେଇ ସୁନା ଚେନ୍ ଲୁଟିଲେ ୬ ମହିଳା। ଏହି ଅଭିଯୋଗରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚୁରା କରିଛି। ଏପରି ଘଟଣା ବାଲେଶ୍ୱଚର ଜିଲ୍ଲା ଭୋଗରାଇ ବ୍ଲକ୍ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ଦେଖିବାକୁ ମିଳିଛି।
ଖବର ଅନୁସାରେ, ରବିବାର ଭୋଗରାଇ ବ୍ଲକ ହରିପୁର ଗାଁର ଶ୍ୟାମାପଦ ଦତ୍ତ ଓ ସାଧନା ଦତ୍ତଙ୍କ ସହିତ ତାଙ୍କ ଭଉଣୀ ଭିଣେଇଙ୍କ ସହିତ ଉଦୟପୁର ବେଳାଭୂମିରେ ମକର ମେଳା ପାଇଁ ହେଉଥିବା ଗଙ୍ଗାମାତା ପୂଜା ଦେଖିବାକୁ ଯାଇଥିଲେ। ସାଧନା ଦତ୍ତ, ମୀନା ଜେନା ଓ ତାଙ୍କ ଝିଆରୀଙ୍କ ବେକରୁ ୬ ଜଣ ମହିଳା ସୁନା ହାର କାଟି ନେଇ ଖସି ପଳାଉଥିଲେ। ମହିଳା ଜଣଙ୍କ ଚିତ୍କାର କରିବାରୁ ସେମାନଙ୍କ ପଛରେ ଥିବା ଲୋକେ ଲୁଟେରାମାନଙ୍କୁ କାବୁ କରିଥିଲେ।
ଏହାସହିତ ସେହି ଅଭିଯୁକ୍ତ ମହିଳମାନଙ୍କୁ ନେଇ ତାଳସାରି ସାମୁଦ୍ରିକ ଥାନାକୁ ନେଇଥିଲେ। ପୋଲିସ ଏହି ଘଟଣାରେ ସମସ୍ତ ମହିଳାଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି। ଅଟକ ମହିଳାମାନେ ପଶ୍ଚିମବଙ୍ଗ ହାଓ୍ବାଡା ବାସିନ୍ଦା ବୋଲି ବୋଲି ଜଣାପଡିଛି। ମାତ୍ର ଲୁଟ୍ର ଶୀକାର ହୋଇଥିବା ମହିଳାମାନେ ସେମାନଙ୍କ ସୁନା ହାର ଏପର୍ଯ୍ୟନ୍ତ ଫେରି ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ ତାଳସାରି ସାମୁଦ୍ରିକ ଥାନା ପୋଲିସ ଏନେଇ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହିଁ।