ସୋଆରେ ଆରମ୍ଭ ହେଲା ୭ ଦିନିଆ ଡିଏସଟି ‘ସ୍ତୁତି’ କର୍ମଶାଳା

Published By : Prameya-News7 Bureau | October 31, 2022 IST

ଭୁବନେଶ୍ୱର ୩୧/୧୦: ଭାରତ ସରକାରଙ୍କ ଆନୁକୂଲ୍ୟରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଶ୍ଳେଷଣକୁ ନେଇ ପ୍ରଶିକ୍ଷଣ ଦେବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ରେ ସୋମବାର ଗୋଟିଏ ସପ୍ତାହ ବ୍ୟାପି କର୍ମଶାଳା ଆରମ୍ଭ ହୋଇଛି।  ବିଜ୍ଞାନ ଓ ପ୍ରଯୁକ୍ତି (ଡିଏସ୍‌ଟି) ବିଭାଗ ପ୍ରାୟୋଜିତ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜି, ମୁମ୍ବାଇ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ୧୯ଟି ରାଜ୍ୟରୁ ୨୨ଟି ବିଶ୍ୱବିଦ୍ୟାଳୟର ୩୧ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। କର୍ମଶାଳାର ନାଁ “ ସିନର୍ଜିଷ୍ଟିକ୍ ଟ୍ରେନିଂ ପ୍ରୋଗ୍ରାମ ୟୁଟିଲାଇଜିଙ୍ଗ୍ ଦ ସାଇନ୍‌ଟିଫିକ୍ ଆଣ୍ଡ ଟେକ୍ନୋଲଜିକାଲ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ସ୍ତୁତି)” ରଖାଯାଇଛି।

କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇସିଟି, ଭୁବନେଶ୍ୱର କ୍ୟାମ୍ପସ୍‌ର ନିର୍ଦ୍ଦେଶକ ପ୍ରଫେସର ପି.ଆର୍‌. ଭାଭିୟା, ଡିଏସ୍‌ଟି ସ୍ତୁତି ଆଇସିଟିର କାର୍ଯ୍ୟକ୍ରମ ପରିଚାଳକ ଜୟଦେବ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପି ଆର୍‌ ଭାଭିୟା କହିଥିଲେ ଯେ ବିଶ୍ଳେଷଣ କ୍ଷେତ୍ରରେ ବର୍ତ୍ତମାନ ହେଉଥିବା ଉନ୍ନତି ଦୃଷ୍ଟିରୁ ପ୍ରଶିକ୍ଷାର୍ଥୀମାନେ ଉପଲବ୍ଧ ସରଞ୍ଜାମକୁ ଭଲ ଭାବେ ବିନିଯୋଗ କରି ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ପରୀକ୍ଷଣକୁ ନ ଦୋହରାଇ ନୂତନତ୍ୱର ସନ୍ଧାନ କରନ୍ତୁ। ଏଥି ପାଇଁ ଏହି ସପ୍ତାହବ୍ୟାପୀ ତାଲିମ କାର୍ଯ୍ୟକ୍ରମ ଅଧିକ ସହାୟକ ହେବ ବୋଲି ସେ କହିଥିଲେ। ଏସ୍‌ପିଏସ୍‌ର ଡିନ୍ ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ସୁଦାମ ଚନ୍ଦ୍ର ସି ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଫେସର ଲକ୍ଷ୍ମୀଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ସପ୍ତାହବ୍ୟାପୀ କର୍ମଶାଳାରେ ୯ଟି ଅନୁଷ୍ଠାନର ୧୪ ଜଣ ବିଶେଷଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିବେ ଓ  ସୋଆର ୧୪ ଜଣ ମେଣ୍ଟର ବୈଷୟିକ କର୍ମଶାଳାରେ ସହାୟତା କରିବେ। ଏହି କର୍ମଶାଳା ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସେଣ୍ଟର ଅଫ୍ ବାୟୋଟେକ୍ନୋଲଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଗବେଷଣା କେନ୍ଦ୍ର ଗୁଡ଼ିକରେ ଅନୁଷ୍ଠିତ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.