ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ସଂଘର ଆଲୋଚନା, ୩ ମାସ ସମୟ ନେଲେ ସରକାର, ଆନ୍ଦୋଳନ ହୋଇପାରେ ସ୍ଥଗିତ
16/03/2023 at 9:36 PM

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଡ୍ରାଇଭର ଏକତା ମହାସଂଘର ଆଲୋଚନା ହୋଇଛି । ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଆସନ୍ତା ତିନି ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିର ସମାଧାନ କରାଯିବ ବୋଲି ସ୍ଥିର ହୋଇଛି । ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିପାରେ ଡ୍ରାଇଭର ସଂଘ । ଆସନ୍ତା ତିନି ମାସ ଯାଏ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ସଂଘ ବିଚାର କରୁଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି ।
ଗୁରୁବାର ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିଲା ବୈଠକ । ଏଥିରେ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତି ହୋଇଥିଲେ । ଆଲୋଚନା ପରେ ଆସନ୍ତା ୩ ମାସ ଭିତରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଡ୍ରାଇଭର ମହାସଂଘର ଆବାହକଙ୍କୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ଦିଆଯାଇଛି ।
ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଆଜି ଅର୍ଥାତ୍ ୧୬ ମାର୍ଚ୍ଚ ୨୦୨୩ ସନ୍ଧ୍ୟା ୭ଟାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଲୋଚନା ପରେ ଆସନ୍ତା ୩ ମାସ ମଧ୍ଯରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା। pic.twitter.com/D9rfoTYXsb
— I & PR Department, Odisha (@IPR_Odisha) March 16, 2023
ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ‘ରାଜ୍ୟ ସରକାର ଡ୍ରାଇଭରଙ୍କ ଦାବି ଉପରେ ଅବଗତ ଅଛନ୍ତି । ସଂଘ ସହ ସକାରାତ୍ମକ ଆଲୋଚନା ହୋଇଛି । ଡ୍ରାଇଭରଙ୍କ ଦାବିକୁ ସରକାର ସହୃଦୟତାର ସହ ବିଚାର କରୁଛନ୍ତି । ଆସନ୍ତା ତିନି ମାସ ମଧ୍ୟରେ ଏହାର ସମାଧାନ କରାଯିବ’ ।