କରୋନା ଭ୍ୟାକସିନକୁ ନେଇ ବଡ ଖବର : ଜରୁରୀକାଳୀନ ପରିସ୍ଥିତିରେ କୋଭିସିଲଡ୍ ବ୍ୟବହାର ପାଇଁ ଖୁବଶୀଘ୍ର ହେବ ଆବେଦନ-ଆଦର ପୁନାଓ୍ବାଲା

Published By : Prameya-News7 Bureau | November 28, 2020 IST

ପୁଣେ ୨୮/୧୧ : ବିଶ୍ବର ସବୁଠାରୁ ବଡ ଭ୍ୟାକସିନ୍ ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାଓ୍ବାଲା ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର ଦେଶରେ ଉପଲବ୍ଧ ହେବ କରୋନା ଭ୍ୟାକସିନ୍ । କୋଭିସିଲଡ୍ ଟ୍ରାଏଲ ସମୟରେ ଏହାର ଫଳାଫଳ ବହୁତ ଭଲ ହୋଇଛି ।  କୋଭିସିଲଡ୍ ଭ୍ୟାକସିନକୁ ଅତି ଜରୁରୀ ସମୟରେ ବ୍ୟବହାରରେ ଅନୁମତି ପ୍ରଦାନ ପାଇଁ ଆବେଦନ କରାଯିବ । ଏହାର ସ୍ପଷ୍ଟ ଅର୍ଥ ହେଉଛି ଭାରତରେ ଟିକା ଉତ୍ପାଦନ ଉନ୍ନତ ପର୍ଯ୍ୟାୟରେ ଅଛି ।

ଆଦର ପୁନାୱାଲା କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ କୋଭିସିଲଡ୍ ବ୍ୟବହାର କରିବାକୁ ଅନୁମତି ପାଇଁ ଆମେ ଆସନ୍ତା ୨ ସପ୍ତାହ ମଧ୍ୟରେ ଆବେଦନ କରିବା ପ୍ରକ୍ରିୟାରେ ଅଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେରମ୍ ପ୍ରତିଷ୍ଠାନ ଗସ୍ତକୁ ନେଇ ପୁନାୱାଲା କହିଛନ୍ତି ଯେ ଟିକା ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି । ସେ ସୂଚନା ଦେଇଛନ୍ତି ଯେ ସେରମ୍ ପ୍ରତିଷ୍ଠାନ ପୁଣେରେ ସବୁଠାରୁ ବଡ କାରଖାନା ଏବଂ ମାଣ୍ଡାରିରେ ଏକ ନୂଆ କ୍ୟାମ୍ପସ୍ ନିର୍ମାଣ କରିଛି ।

ଆଦର ପୁନାୱାଲା କହିଛନ୍ତି ଯେ ଏହି ଟିକା ପ୍ରଥମେ ଭାରତରେ ବିତରଣ କରାଯିବ ଏବଂ ପରେ ଅନ୍ୟ ଦେଶରେ ବଣ୍ଟନ କରାଯିବ । ସେ କହିଛନ୍ତି ଯେ, ବ୍ରିଟେନ ଏବଂ ୟୁରୋପରେ ଟିକା ବଣ୍ଟନ ପାଇଁ ଆଷ୍ଟ୍ରାଜିନିକା ଏବଂ ଅକ୍ସଫୋର୍ଡ କାର୍ଯ୍ୟ କରୁଛନ୍ତି । ପୁନାୱାଲା କହିଛନ୍ତି ଯେ ଆମଠାରୁ କେତେ ଡୋଜ କିଣାଯିବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ତରଫରୁ ଲିଖିତ ଆକାରରେ କିଛି ମିଳିନାହିଁ । କିନ୍ତୁ ଜୁଲାଇ ୨୦୨୧ ସୁଦ୍ଧା ୩୦ ରୁ ୪୦ କୋଟି ଡୋଜ କ୍ରୟ କରାଯିବ ବୋଲି ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଅହମ୍ମଦାବାଦ, ହାଇଦ୍ରାବାଦ ଏବଂ ପୁଣେ ଗସ୍ତରେ ଯାଇ କରୋନା ଟିକା ବିକାଶର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ନିକଟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜିଡସ୍ କାଡିଲା ପ୍ଲାଣ୍ଟ ପରିଦର୍ଶନ କରି ମୋଦୀ ସମୀକ୍ଷା କରିଥିଲେ । ଏହା ପରେ ସେ ହାଇଦ୍ରାବାଦର ଭାରତ ବାୟୋଟେକ୍ ପ୍ଲାଣ୍ଟରେ ପହଞ୍ଚି ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପରିଦର୍ଶନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.