୫ଟଙ୍କା ପାଇଁ ଗ୍ରାହକଙ୍କୁ ମାଡ ମାରିଥିବା ହୋଟେଲ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ୨ କର୍ମଚାରୀଙ୍କୁ ଗାଳିଗୁଲଜ ସହ ଦେଉନାହାନ୍ତି ଦରମା !

Published By : Prameya-News7 Bureau | October 01, 2021 IST

ଆନନ୍ଦପୁର ୧।୧୦: କେନ୍ଦୁଝର ଜିଲ୍ଲା ଘଷିପୁରା ଲକ୍ଷ୍ମୀ ବଜାରରେ ଥିବା ମା’ ହୋଟେଲ ମାଲିକ ମଧୁସୁଧନ ସାହୁଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ । ହୋଟେଲରେ କାମ କରୁଥିବା ୨ ଜଣ ହୋଟେଲ ବୟଙ୍କୁ ଗାଳିଗୁଲଜ ଦେବା ଓ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଫଳରେ ମାଲିକଙ୍କ ଗାଳିଗୁଲଜରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଅଞ୍ଚଳର ଏହି ଦୁଇ ଜଣ ଶୁକ୍ରବାର ଲୁଚିକରି ହୋଟେଲ ଛାଡି ପଳାଉଥିଲେ ।

ଆନନ୍ଦପୁର ବସଷ୍ଟାଣ୍ଡରେ ବସରେ ବସି ଘରକୁ ଯାଉଥିବା ଏହି ଦୁଇ ଜଣଙ୍କ ଖବରପାଇ ହୋଟେଲ ମାଲିକ ମଧୁସୁଦନ ଓ ରୋଷେୟା ଯାଇ ଟଣା ଓଟରା କରି ଜୋରଜବରଦସ୍ତ ହୋଟେଲକୁ ଆଣିବାକୁ ଚେଷ୍ଟା କରିବା ସହ ରୋଷେୟା ପିଲାଙ୍କୁ ମାଡ ମାରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକେ ହସ୍ତକ୍ଷେପ କରି ଘଟଣା ବୁଝିବା ସମୟରେ ସୁଯୋଗ ଦେଖି ହୋଟେଲ ମାଲିକ ଖସି ପଳାଇଥିଲେ । ସ୍ଥାନୀୟ ଲୋକେ ରୋଷେୟା ଓ ୨ ଜଣଙ୍କୁ ପୋଲିସର ଜିମା ଦେଇଛନ୍ତି । ଆନନ୍ଦପୁର ପୋଲିସ ଏହି ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଛି ।

ଗତ ମାସ ୧୧ ତାରିଖରେ ମାତ୍ର ୫ ଟଙ୍କା ଦେଇ ନପାରିବାରୁ ସଂପୃକ୍ତ ହୋଟେଲ ମାଲିକ ଜଣେ ଗ୍ରାହକଙ୍କୁ ବିଚ୍ ରାସ୍ତାରେ ଗଡାଇ ତଡାଇ ମାଡ ମାରିଥିଲେ । ଯାହାର ଭିଡିଓ ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.