ଧର୍ମ ସମାଜ ଉପରେ ନିର୍ମିତ ହେଉଥିବା ଫିଲ୍ମ ଉପରେ ଏବେ ରହିବ ନଜର, ଗଠିତ ହେଲା ସନ୍ଥ ସେନସର ବୋର୍ଡ

Published By : Prameya-News7 Bureau | January 03, 2023 IST

ନୂଆଦିଲ୍ଲୀ ୩।୧: ଦେଶରେ ଧର୍ମାଚାର୍ଯ୍ୟ ଓ ହିନ୍ଦୁ ଧର୍ମର ଜ୍ଞାତା ଫିଲ୍ମ ଓ ଟେଲିଭିଜନ ଧାରାବାହିକରେ ହିନ୍ଦୁ ଧର୍ମର ଅପମାନ ସମ୍ପର୍କିତ ସାମଗ୍ରୀର ସମୀକ୍ଷା କରିବେ।ଏଥିଲାଗି ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଧାର୍ମିକ ସେନସର ବୋର୍ଡ ଗଠନ କରିବାକୁ ଯାଉଛନ୍ତି, ଯାହା ଖୁବ୍ ଶୀଘ୍ର ନିଜର କାମ ଆରମ୍ଭ କରିବ ବୋଲି ଆଶା କରାଯାଉଛି। ଏହି ବୋର୍ଡ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ସଂରକ୍ଷଣରେ କାମ କରିବ।

ମଙ୍ଗଳବାର କନଷ୍ଟିଟ୍ୟୁସନ କ୍ଲବ ଅଫ ଇଣ୍ଡିଆରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଧର୍ମ ସେନସର ବୋର୍ଡ ଗଠନ କରାଯାଇଥିବା କହିଛନ୍ତି।  ଏହି ସେନସର ବୋର୍ଡରେ ୧୧ ଜଣ ସଦସ୍ୟଙ୍କୁ ରଖା ଯାଇଥିବା ଓ ବୋର୍ଡର ମୁଖ୍ୟାଳୟ ଦିଲ୍ଲୀ ଏନସିଆରରେ ରହିବ ବୋଲି କହିଛନ୍ତି। ଯାହାର ଶାଖା କାର୍ଯ୍ୟାଳୟ ଖୁବ୍ ଶୀଘ୍ର ସବୁ ରାଜ୍ୟ ମୁଖ୍ୟାଳୟମାନଙ୍କରେ ଖୋଲିବ। ତାଙ୍କ କହିବା ଅନୁସାରେ ଜାନୁୟାରୀ ୧୫ ତାରିଖ ସୁଦ୍ଧା ସେନସରବୋର୍ଡ କାର୍ଯ୍ୟାଳୟ ଦିଲ୍ଲୀରେ ଖୋଲିଯିବ ବୋଲି ସେ କହିଛନ୍ତି।

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି ଯେ ପ୍ରୟାଗରାଜରେ ହେବାକୁ ଯାଉଥିବା ଆଗାମୀ ମାଘ ମେଳାରେ ଧର୍ମ ସେନସର ବୋର୍ଡ ଦ୍ୱାରା ଫିଲ୍ମ ନିର୍ମାତାଙ୍କ ଲାଗି ଏକ ବିସ୍ତୃତ ଗାଇଡଲାଇନ ମଧ୍ୟ ଜାରି କରାଯିବ। ସେ କହିଛନ୍ତି ଯେ ଫିଲ୍ମରେ ଯଦି କେଉଁଠି କମ୍‌ ଦେଖାଇବାର ହେଉଛି ସେଠାରେ ହିନ୍ଦୁ ଧର୍ମ ଓ ଭଲ ଦେଖାଇବାର ଅଛି ତ ଅନ୍ୟ ଧର୍ମର ଉଲ୍ଲେଖ ଏବେ ଚଳଣିରେ ପରିଣତ ହୋଇଛି। କେବଳ ବଲିଉଡ ଫିଲ୍ମ ନୁହେଁ ଟେଲିଭିଜନ ଧାରାବାହିକ ଏବଂ ଓଟିଟି ପ୍ଲାଟଫର୍ମରେ ମଧ୍ୟ ହିନ୍ଦୁ ଦେବୀ ଦେବତାଙ୍କର ଲଗାତାର ଅପମାନ କରାଯାଉଛି। ଏହା ଉପରେ ରୋକ ଲଗାଇବା ପାଇଁ ଧର୍ମ ସେନସର ବୋର୍ଡ ଗଠନ ହେଉଥିବା ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି।

ଏହି ସେନସର ବୋର୍ଡରେ ସୁପ୍ରିମକୋର୍ଟଙ୍କ ଓକିଲ, ଧର୍ମାଚାର୍ଯ୍ୟ, ଗଣମାଧ୍ୟମ ପ୍ରତିନିଧି,ସାହିତ୍ୟିକ, ଐତିହାସିକ, ଫିଲ୍ମ ଅଭିନେତ୍ରୀ ଓ ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ସମେତ ୟୁପି ଫିଲ୍ମ ସେନସର ବୋର୍ଡ ଉପାଧ୍ୟକ୍ଷଙ୍କୁ ମଧ୍ୟ ସାମିଲ କରାଯାଇଛି। ବୋର୍ଡର ସଦସ୍ୟମାନେ ସଂରକ୍ଷକ ଓ ହିନ୍ଦୁ ଧର୍ମର ରକ୍ଷା ଲାଗି ପରାମର୍ଶ ଦେବେ। ସେ କହିଛନ୍ତି ଯେ ଏହି ବୋର୍ଡ ଫିଲ୍ମ, ଟିଭି ଏବଂ ଓଟିଟି ପ୍ଲାଟଫର୍ମମାନଙ୍କରେ ଦେଖାଯାଉଥିବା ଧାର୍ମିକ ପାତ୍ର, ସେମାନଙ୍କ ସଂଳାପ, ରଙ୍ଗ, ତିଳକ ଓ ସ୍କ୍ରିପ୍ଟର ସମୀକ୍ଷା କରିବ। ଯଦି କୌଣସି ଫିଲ୍ମ ଅଥବା ଧାରାବାହିକରେ ହିନ୍ଦୁ ଧର୍ମ, ବେଦ ଓ ପୁରାଣର କଥାକୁ ମୋଡି ମକଚି ଦେଖା ଗଲା ତେବେ ବୋର୍ଡ ତା ଉପରେ କାର୍ଯ୍ୟାନୁଷ୍ଠାନ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.