ବର୍ଷର ପ୍ରଥମ କାରବାର ଦିନରେ ୧.୬ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି, ୩୨୭ ଅଙ୍କ ବଢିଲା ସେନସେକ୍ସ

Published By : Prameya-News7 Bureau | January 02, 2023 IST

ମୁମ୍ୱାଇ: ଭାରତୀୟ ସେୟାର ବଜାର ନୂଆ ବର୍ଷର ପ୍ରଥମ କାରବାର ଦିନ ଅର୍ଥାତ୍ ଜାନୁଆରୀ ୨ରେ ବୃଦ୍ଧି ସହ ବନ୍ଦ ହୋଇଛି । ବିଏସଇର ୩୦ ସେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ସେନସେକ୍ସ ଆଜି ୩୨୭.୦୫ ଅଙ୍କ ପ୍ରାୟ ୦.୫୪ ପ୍ରତିଶତ ବଢି ୬୧,୧୬୭.୭୯ ସ୍ତରରେ ପହଞ୍ଚିଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ପ୍ରମୁଖ ସୂଚକାଙ୍କ ନିଫ୍ଟୀ ୯୨.୧୫ ଅଙ୍କ ପ୍ରାୟ ୦.୫୧ ପ୍ରତିଶତ ବଢି ୧୮,୧୯୭.୪୫ ଅଙ୍କରେ ବନ୍ଦ ହୋଇଛି । ଏହି ବୃଦ୍ଧି ସହ ବଜାର ନିବେଶକଙ୍କ ସମ୍ପତ୍ତି ବର୍ଷର ପ୍ରଥମ କାରବାର ଦିନରେ ପ୍ରାୟ ୧.୬ ଲକ୍ଷ କୋଟି ଟଙ୍କା ବଢିଯାଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମୋଟ ବଜାର ପୁଞ୍ଜି ସୋମବାର ବଢି ୨୮୩.୯୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ପୂର୍ବ କାରବାର ଦିନ ଅର୍ଥାତ ଶୁକ୍ରବାର ଏହା ୨୮୨.3୮ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ବଜାର ପୁଞ୍ଜି ଆଜି ୧.୬ ଲକ୍ଷ କୋଟି ଟଙ୍କା ବଢିଛି ।

ସେନସେକ୍ସର ୩୦ର ମଧ୍ୟରୁ ୨୩ କମ୍ପାନିର ସେୟାର ବୃଦ୍ଧି ସହ ବନ୍ଦ ହୋଇଛି । ଯେଉଁ ୫ ସେୟାରରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି ସେଥିରେ ଟାଟା ଷ୍ଟିଲ, ଟାଟା ମୋଟର୍ସ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସାମିଲ ରହିଛି । ଏହି ସବୁ ସେୟାରରେ ଆଜି ୧.୧୪ ପ୍ରତିଶତରୁ ୫.୮୧ ପ୍ରତିଶତ ଯାଏଁ ବୃଦ୍ଧି ଦେଖିବାକୁ ମିଳିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.