ମୁମ୍ବାଇ ୭।୬: ଭାରତୀୟ ସେୟାର ବଜାର ୭ ଜୁନ ଶୁକ୍ରବାର ଲଗାତାର ଅଭିବୃଦ୍ଧି ସହ ବନ୍ଦ ହୋଇଛି। ଏହା ସହିତ ବଜାରରେ କିଛି ନୂଆ ରେକର୍ଡ ମଧ୍ୟ ବନିଛି। ସେନସେକ୍ସ ପାଖାପାଖି ୧,୬୫୦ ଅଙ୍କର ବୃଦ୍ଧି ସହ ଏପର୍ଯ୍ୟନ୍ତର ସବୁଠୁ ଉଚ୍ଚସ୍ତର ୭୬,୭୯୫.୩୧କୁ ପହଞ୍ଚି ଯାଇଛି। ସେପଟେ ନିଫ୍ଟି ମଧ୍ୟ ନିଜର ସର୍ବକାଳୀନ ଉଚ୍ଚତମ ସ୍ତରର ନିକଟବର୍ତ୍ତି ହୋଇଛି। ଏଣୁ ଶୁକ୍ରବାର ଗୋଟିଏ ଦିନରେ ନିବେଶକଙ୍କ ସମ୍ପତ୍ତିରେ ୭,୩୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ହୋଇଛି।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ର ମିଡକ୍ୟାପ୍ ଓ ସ୍ମଲ କ୍ୟାପ୍ ଇଣ୍ଡେକ୍ସରେ ଯଥାକ୍ରମେ ୧.୨୮ ଓ ୨.୧୮ ପ୍ରତିଶତ ବୃଦ୍ଧି ସହ ବନ୍ଦ ହୋଇଛି। ଏପରିକି ବିଏସଇର ସବୁ ସେକ୍ଟୋରାଲ ଇଣ୍ଡେକ୍ସ ମଧ୍ୟ ଶୁକ୍ରବାର ସବୁଜ ସଂକେତରେ ବନ୍ଦ ହୋଇଛନ୍ତି। ସବୁଠୁ ଅଧିକ ଅଭିବୃଦ୍ଧି ଆଇଟି, ଟେଲିକମ ଓ ଅଟୋ ସେୟାରରେ ଦେଖିବାକୁ ମିଳିଛି। କାରବାର ଶେଷରେ ବିଏସଇ ସେନସେକ୍ସ ୧,୬୧୮.୮୫ ଅଙ୍କ ଅର୍ଥାତ୨.୧୬ ପ୍ରତିଶତ ବୃଦ୍ଧି ସହ ୭୬,୬୯୩.୩୬ ଅଙ୍କରେ ବନ୍ଦ ହୋଇଛି।
ସେହିପରି ଏନଏସଇର ୫୦ ସେୟାର ଇଣ୍ଡେକ୍ସ ନିଫ୍ଟି ୪୬୮.୭୫ ଅର୍ଥାତ ୨.୦୫ ପ୍ରତିଶତ ବୃଦ୍ଧି ହୋଇ ୨୩,୨୯୦.୧୫ ସ୍ତରରେ ବନ୍ଦ ହୋଇଛି। ବିଏସଇ ଲିଷ୍ଟେଡ କମ୍ପାନୀମାନଙ୍କ ମୋଟ ବଜାର ପୁଞ୍ଜିକରଣ (ମାର୍କେଟ କ୍ୟାପିଟାଲାଇଜେସନ) ଜୁନ ୭ ତାରିଖ ଶୁକ୍ରବାର ୪୨୩.୨୭ ଲକ୍ଷ କୋଟି ଟଙ୍କାକୁ ପହଞ୍ଚି ଯାଇଛି। ଅନ୍ୟଅର୍ଥରେ କହିଲେ ନିବେଶକଙ୍କର ଶୁକ୍ରବାର ଗୋଟିଏ ଦିନରେ ୭,୩୮ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି।
ସେୟାର ବଜାରରେ ଶୁକ୍ରବାର ଏପରି କାରବାର ହୋଇଛି ଯେ ସେନସେକ୍ସର ସମସ୍ତ ୩୦ରୁ ୩୦ ସେୟାର ଅଭିବୃଦ୍ଧି ସହ ବନ୍ଦ ହୋଇଛନ୍ତି। ଏଥିରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସେୟାରରେ ସବୁଠୁ ଅଧିକ ୫.୮୩ପ୍ରତିଶତ ବୃଦ୍ଧି ଦେଖାଯାଇଛି। ଏହା ପଛକୁ ୱିପ୍ରୋ, ଟେକ୍ ମହିନ୍ଦ୍ରା, ଇନଫୋସିସ୍ ଓ ଟାଟା ଷ୍ଟିଲ ସେୟାରରେ ସବୁଠୁ ଅଧିକ ଅଭିବୃଦ୍ଧି ଦେଖାଯାଇଛି। ଏକ୍ସଚେଞ୍ଜରେ ଶୁକ୍ରବାର ମୋଟ ୩,୯୫୨ସେୟାରରେ କାରବାର ଦେଖିବାକୁ ମିଳିଛି। ଏଥିରୁ ୨,୮୯୪ ସେୟାର ବୃଦ୍ଧିର ସହ ବନ୍ଦ ହୋଇଛନ୍ତି।