ଲଗାତାର ଚତୁର୍ଥ ଦିନରେ ସେୟାର ମାର୍କେଟରେ ହ୍ରାସ, ୨୨ ହଜାର ତଳକୁ ଖସିଲା ନିଫ୍ଟି, ୩୮ ହଜାର କୋଟି ସ୍ୱାହା

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ଗୁରୁବାର ଏପ୍ରିଲ ୧୮ରେ ଲଗାତାର ଚତୁର୍ଥ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ପ୍ରାୟ ୪୫୦ ଅଙ୍କ ତଳକୁ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୨ ହଜାର ତଳକୁ ଖସି ଆସିଛି । ଏହି କାରଣରୁ ଆଜି ନିବେଶକଙ୍କୁ ପ୍ରାୟ ୩୮ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି । ଟେଲିକମ୍ୟୁନିକେସନ ଏବଂ ଟେକ୍ ସେୟାରକୁ ଛାଡ଼ି ବିଏସଇର ଅନ୍ୟ ସମସ୍ତେ ସେକ୍ଟୋରାଲ ଇଣ୍ଡେକ୍ସ ଗୁରୁବାର ଲାଲ୍ ସଂକେତରେ ବନ୍ଦ ହୋଇଛି । ତେବେ ସ୍ମଲକ୍ୟାପ୍ ସେୟାର ସ୍ଥିତିକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ । ବିଏସଇର ସ୍ମଲକ୍ୟାପ୍ ସୂଚକାଙ୍କ ୦.୦୬ ପ୍ରତିଶତ ବଢି ବନ୍ଦ ହୋଇଛି । ଅନ୍ୟପଟେ ମିଡକ୍ୟାପ୍ ଇଣ୍ଡେକ୍ସ ୦.୩୯ ପ୍ରତିଶତ ଖସିଛି ।

କାରବାର ଶେଷରେ ବିଏସଇ ସେନସେକ୍ସ ୪୫୪.୬୯ ଅଙ୍କ ବା ୦.୬୨ ପ୍ରତିଶତ କମି ୭୨,୪୮୮.୯୯ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୫୨.୦୫ ଅଙ୍କ ବା ୦.୬୯ ପ୍ରତିଶତ କମ ହୋଇ ୨୧,୯୯୫.୮୫ ସ୍ତରରେ ବନ୍ଦ ହୋଇଛି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଙ୍କ ମୋଟ ମାର୍କେଟ୍ କ୍ୟାପ୍ ଆଜି ଏପ୍ରିଲ ୧୮ରେ କମି ୩୯୩.୮୭ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ମଙ୍ଗଳବାର ଏପ୍ରିଲ ୧୬ରେ ୩୯୪.୨୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଙ୍କ ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୩୮ ହଜାର କୋଟି ଟଙ୍କା କମ ହୋଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତି ପ୍ରାୟ ୩୮ ହଜାର କୋଟି ଟଙ୍କା କମ ହୋଇଛି । 

 

  • Share market
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.