ନିବେଶକଙ୍କ ବୁଡିଲା ୨.୧୭ ଲକ୍ଷ କୋଟି ଟଙ୍କା, ୪୫୦ ଅଙ୍କ ତଳକୁ ଖସିଲା ସେନସେକ୍ସ

Published By : Prameya-News7 Bureau | January 06, 2023 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ଶୁକ୍ରବାର ଜାନୁଆରୀ ୬ରେ ଲଗାତାର ତୃତୀୟ ଦିନ ହ୍ରାସ ସହ ବନ୍ଦ ହୋଇଛି । ବିଏସଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୪୫୨.୯୦ ଅଙ୍କ ତଳକୁ ଖସି ୫୯,୯୦୦.୩୭ ସ୍ତରରେ ବନ୍ଦ ହୋଇଛି । ସେହିପରି ଏନଏସଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟୀ ୧୨୭.୯୫ ଅଙ୍କ ଖସି ୧୭,୮୬୪.୨୦ରେ ବନ୍ଦ ହୋଇଛି । ସବୁ ସେକ୍ଟରର ସୂଚକାଙ୍କ ଆଜି ଲାଲ ସଂକେତରେ ବନ୍ଦ ହୋଇଛି । ବିଏସଇର ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ ସୂଚକାଙ୍କ ଯଥାକ୍ରମେ ୦.୭୨ ପ୍ରତିଶତ ଏବଂ ୦.୬୯ ପ୍ରତିଶତ ହ୍ରାସ ସହ ବନ୍ଦ ହୋଇଛି । ଏହି ହ୍ରାସ ଯୋଗୁଁ ସେୟାର ବଜାର ନିବେଶକ ଆଜି ପ୍ରାୟ ୨.୧୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି ।

ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକ ମୋଟ ବଜାର ପୁଞ୍ଜି ଶୁକ୍ରବାର ହ୍ରାସ ହୋଇ ୨୭୯.୭୮ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନରେ ଏହା ୨୮୧.୯୫ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସଇର ମାର୍କେଟ୍ କ୍ୟାପରେ ଆଜି ପ୍ରାୟ ୨.୧୭ ଲକ୍ଷ କୋଟି ଟଙ୍କାର ବଡ଼ ହ୍ରାସ ଘଟିଛି ।

ସେନସେକ୍ସର ୩୦ ସେୟାର ମଧ୍ୟରୁ କେବଳ ୫ ସେୟାରେ ବୃଦ୍ଧି ଦେଖିବାକୁ ମିଳିଛି । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାରରେ ସବୁଠୁ ଅଧିକ ୧.୦୭ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି । ଏହାପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ନେସଲେ ଇଣ୍ଡିଆ, ଆଇଟିସି ଏବଂ ଲର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି)ର ସେୟାରରେ ସବୁଠୁ ଅଧିକ ବୃଦ୍ଧି ଘଟିଛି । ଏହା ପ୍ରାୟ ୦.୨୩ ପ୍ରତିଶତରୁ ୧.୦୧ ପ୍ରତିଶତ ବଢିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.