ସେୟାର ବଜାର ଉପରେ କରୋନା ମାଡ : ୧୧୫୦ ପଏଣ୍ଟ ଖସିଲା ସେନ୍ସେକ୍ସ, ଆମେରିକା ବଜାରକୁ ଝଟ୍କା , ବଡ ଅର୍ଥନୈତିକ ସଂକଟ ନେଇ ହେଲାଣି ଆଶଙ୍କା
28/02/2020 at 6:15 PM

ଭୁବନେଶ୍ବର ୨୮।୦୨: କରୋନା ଏବେ ବିଶ୍ବ ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବାକୁ ବସିଲାଣି। ବିଶ୍ବବ୍ୟାପୀ ସେୟାର ବଜାର ସୂଚକାଙ୍କ ଏବେ ତଳ ମୁହାଁ ହୋଇଛି। ଭାରତରେ ସେନ୍ସେକ୍ସ ୧୧୫୦ ପଏଣ୍ଟ ଖସିଛି । ତେଣେ ଏହି ରୋଗ ଇରାନ, ଇଟଲୀ ଦକ୍ଷିଣ କୋରିଆ ଭଳି ଦେଶ ପାଇଁ ଚିନ୍ତା ବଢ଼ାଇଲାଣି। ଏଭଳି ପରିସ୍ଥିତିରେ ଯଦି ଭାରତରେ ଏହି ରୋଗ ବ୍ୟାପେ ତେବେ ସାଂଘାତିକ ସ୍ଥିତି ଉପୁଯିବ ବୋଲି ଆମେରିକା ସତର୍କ କରାଇଛି।

ଚୀନରେ କମୁଛି କିନ୍ତୁ ବାକି ଦେଶ ପାଇଁ ଚିନ୍ତା ବଢ଼ାଇଲା କରୋନା ଭାଇରସ କୋଭିଡ 19 । ୫୦ ଦେଶର ୮୨ ହଜାର ଏଥିରେ ଆକ୍ରାନ୍ତ ହୋଇସାରିଲେଣି । ଚୀନ ବାଦ୍ ଏହି ରୋଗରେ ଏବେ ସୁଦ୍ଧା ୭୦ ଜଣଙ୍କର ମୃତ୍ୟୁ ହୋଇଛି। ବିଶେଷ କରି ଇରାନ, ଇଟଲୀ, ଦକ୍ଷିଣ କୋରିଆ ପାଇଁ ସ୍ଥିତି ସଂକଟଜନକ ହେଲାଣି ।

ସ୍ପେନ , ଫ୍ରାନ୍ସ ବି ଅନୁରପ ଭାବେ ଚିନ୍ତାଗ୍ରସ୍ତ। ଇରାନରେ ୨୬, ଇଟଲିରେ ୧୮ ଏବଂ ଦକ୍ଷିଣ କୋରିଆରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଲାଣି ସ୍ଥିତି ସାଂଘାତିକ ହୋଇପାରେ । ସେପଟେ ଜାପାନ ଏବଂ ଇରାକ ମାସେ ପାଇଁ ସ୍କୁଲ ବନ୍ଦ କରିଦେଇଛି । ଇରାନରେ ଶୁକ୍ରବାର ନମାଜ ବନ୍ଦ କରାଯାଇଛି। ସାଉଦି ଆରବ ମକ୍କା ମଦିନାକୁ ହଜଯାତ୍ରୀଙ୍କ ଆସିବା ଉପରେ କଟକଣା ଲଗାଇଛି । ଇଟାଲି ୧୧ ସହରରେ ନାକାବନ୍ଦୀ ଆରମ୍ଭ କରିଛି।

ସେପଟେ ଆମେରିକାର ସତର୍କବାଣୀ ଯେ, ଯଦି ଭାରତ ଭଳି ଦେଶରେ ଏହି ରୋଗ ସଂକ୍ରମଣ ହୁଏ ଏହା ମାରାତ୍ମକ ହେବ । କରୋନାର ଗ୍ଲୋବାଲ ସ୍ପ୍ରେଡିଂ ଉପରେ ଆମେରିକା ମନିଟରିଂ କରୁଥିବା ବେଳେ ଭାରତ ପାଇଁ ଏହା ବଡ଼ ବିପଦ ହେବା ନେଇ ଆକଳନ କରୁଛି । କାରଣ ଭାରତର ରୋଗ ପ୍ରତିରୋଧ କ୍ଷମତା ସନ୍ତୋଷ ଜନକ ନୁହେଁ, ସେହିପରି ଜନସଂଖ୍ୟା ବେଶୀ ସମସ୍ୟା ସୃଷ୍ଟି କରିପାରେ । ଏହାକୁ ଦୃଷ୍ଟିରେ ରଖି ଭାରତ- ଦକ୍ଷିଣ ଇରାନ, କୋରିଆ ଓ ଜାପାନରୁ ଆସୁଥିବା ଯାତ୍ରୀଙ୍କ ଉପରେ ଭିସା ଅନ ଆରାଇଭାଲ ସୁବିଧା ରଦ୍ଧ କରିଛି। ସେପଟେ ଇରାନରେ ଫଶିଥିବା ୩ଶହ ଭାରତୀୟ ମତ୍ସ୍ୟଜୀବୀ ଏବେ ଚିନ୍ତା ବଢ଼ାଇଲେଣି।

କରୋନା ଭାଇରସ ବିଶ୍ବ ଅର୍ଥନୀତିକୁ ଅକ୍ରାନ୍ତ କଲାଣି। ଗୋଟିଏ ଦିନରେ ସେୟାର ବଜାର ସୂଚକାନ୍ତ ଏତେ ହ୍ରାସ ପାଇଛି ଯେ ଯାହା ୨୦୧୧ ପରେ ସବୁଠାର ବଡ଼ ହ୍ରାସ। ଆମେରିକାର ଡାଓ ୧୧୯୧ ପଏଣ୍ଟ ହ୍ରାସ ପାଇଛି। ୨୦୦୮ ପରେ ଏହା ସବୁଠାରୁ ବଡ଼ ହ୍ରାସ।

ଭାରତରେ ମଧ୍ୟ ଅନୁରୂପ ଭାବେ ଗୋଟିଏ ଦିନରେ ୧୧୫୫୦କ ପଏଣ୍ଟ ସୂଚକାଙ୍କ ହ୍ରାସ ପାଇଛି। ସେହିପରି ନିଫ୍ଟି ମଧ୍ୟ ୨୫୦ ପଏଣ୍ଟ ହ୍ରାସ ପାଇଛି । କରୋନା ଭାଇରସ ପାଇଁ ଚୀନର ଅର୍ଥନୀତି କେବଳ ବିଗିଡ଼ିଯାଇନି ଏହା ୟୁରୋପ ଆମେରିକା ଏପରିକି ଭାରତର ଅର୍ଥନୀତିକୁ ଆଉଟୁପାଉଟୁ କଲାଣି।

ଚିକେନ ଯୋଗୁଁ ଫ୍ଲୁ ରୋଗ ବ୍ୟାପୁଥିବା ନେଇ ସୋସିଆଲ ମିଡିଆରେ ବ୍ୟାପୁଥିବାରୁ ଦେଶରେ ଏବେ ଚିକେନ ବିକ୍ରି ହ୍ରାସ ପାଇଛି। ତେବେ ଏନେଇ ଆତଙ୍କିତ ନ ହେବାକୁ ବାରମ୍ବାର ଭାରତ ସରକାର ଆହ୍ବାନ ଦେଇଛନ୍ତି।
