ସର୍ବୋଚ୍ଚ ସ୍ତରରେ ସେନସେକ୍ସ, ପ୍ରଥମ ଥର ଟପିଲା ୬୨୪୦୦ ଅଙ୍କ, ୨.୩୭ ଲକ୍ଷ କୋଟି ଲାଭ

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାର ପୁଣି ଥରେ ଶିଖରରେ ପହଞ୍ଚିଛି । ସପ୍ତହାରର ଚତୁର୍ଥ କାରବାର ଦିନ ଅର୍ଥାତ୍ ଗୁରୁବାର ସେନସେକ୍ସ ୭୬୨.୧୦ ଅଙ୍କ ବଢି ୬୨,୨୬୨.୬୮ ଅଙ୍କର ସର୍ବାକାଳୀନ ଉଚ୍ଚ ସ୍ତରରେ ବନ୍ଦ ହୋଇଛି । କରାବାର ସମୟରେ ସେନସେକ୍ସ ୬୨,୪୧୨ ଅଙ୍କ ଯାଏଁ ପହଞ୍ଚିଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ଅକ୍ଟୋବର ୧୯ରେ ସେନସେକ୍ସ ୬୨,୨୪୫ ଅଙ୍କର ସ୍ତରରେ ପହଞ୍ଚିଥିଲା । ଅନ୍ୟପଟେ ନିଫ୍ଟି ୨୧୬.୮୫ ଅଙ୍କ ବଢି ୧୮,୪୮୪.୧୦ ସ୍ତରରେ ପହଞ୍ଚିଛି ।

ସେୟାର ବାଜରରେ ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ୨.୩୭ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ଗୁରୁବାର ବିଏସଇ ମାର୍କେଟ କ୍ୟାପ ୨,୮୩,୬୯,୯୮୮.୦୨ କୋଟି ଟଙ୍କାରେ ପହଞ୍ଚିଛି । ଗୋଟିଏ ଦିନ ପୂର୍ବେ ଏହା ୨,୮୧,୪୪,୩୧୮.୬୩ କୋଟି ଟଙ୍କା ତୁଳନାରେ ୨ ଲକ୍ଷ କୋଟି ଅଧିକ ହୋଇଛି ।

ବିଏସଇ ସୂଚକାଙ୍କରେ ଆଇଟି ସେକ୍ଟରର ଷ୍ଟକ୍ ସବୁଠୁ ଭଲ ପ୍ରଦର୍ଶନ କରିଛି । ବିଏସଇର ଶୀର୍ଷ ୩୦ ସେୟାର ମଧ୍ୟରୁ ଇନଫୋସିସ୍, ଏଚସିଏଲ, ୱିପ୍ରୋ, ଟେକ୍ ମହିନ୍ଦ୍ରା, ଟିସିଏସରେ ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ପାୱରଗ୍ରୀଡ ଏଚଡିଏଫସି, ଏଚୟୁଏଲ, ଏଚଡିଏଫସି ବ୍ୟାଙ୍କ, ସନଫାର୍ମାର ସେୟାରରେ ମଧ୍ୟ ବୃଦ୍ଧି ଘଟିଛି ।

ଭାରତ ସହ ସାରା ଦୁନିଆର ଅର୍ଥନୀତି ଉପରୁ ମାନ୍ଦାବସ୍ଥାର ଭୟ ଦୂର ହେବାରେ ଲାଗିଛି । ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡ୍ ରିଜର୍ଭ ମଧ୍ୟ କୋହଳ କଥା କହିସାରିଛି । ଏହା ପରେ ଭାରତ ସହ ସାରା ଦୁନିଆର ବଜାରରେ ନିବେଶକଙ୍କ ଉତ୍ସାହ ବଢିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.