IAS ବାବୁଙ୍କୁ ଚିହ୍ନି ପାରିଲାନି ପରିବା ବିକାଳି ବୁଢ଼ୀ, କହିଲା- ଦୋକାନ ଜଗିଥା, ମୁଁ ଆସୁଛି, ତାପରେ…

Published By : Prameya-News7 Bureau | August 26, 2021 IST

ଲକ୍ଷ୍ନୌ ୨୬/୦୮: ରାସ୍ତାକଡ଼ରେ ବସି ଆଳୁ, ପିଆଜ, ଟମାଟୋ, ଜହ୍ନି ଆଦି ବିକିଲେ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ । ତାଙ୍କ ସାମ୍ନାରେ ଜଣେ ପେଶାଦାର ପରିବା ବିକାଳି ମଧ୍ୟ ଫିକା ପଡ଼ିଯିବେ। ଗ୍ରାହକ ଆସିଲେ ମୂଲଚାଲ ବି କଲେ । କିନ୍ତୁ ବଡ଼ ବାବୁ ଟଙ୍କାଟିଏ ବି କାଟିନଥିଲେ । ଏମିତି କିଛି ଦୃଶ୍ୟ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ସାମ୍ନାକୁ ଆସିଛି । ସିନିୟର ଆଇଏଏସ୍‌ ଅଫିସରଙ୍କ ପରିବା ବିକା ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ୟୁପି ସରକାରରେ ବରିଷ୍ଠ ଅଧିକାରୀ
ମିଳିଥିବା ସୂଚନା ଅନୁସାରେ, ରାସ୍ତାକଡ଼ରେ ଅତି ସାଧାରଣ ଲୋକଟିଏ ଭଳି ପରିବା ବିକୁଥିବା ଅଫସିର ଜଣଙ୍କ ଆଉ କେହି ନୁହଁନ୍ତି ବରଂ ସେ ହେଉଛନ୍ତି ଆଇଏଏସ୍‌ ଡକ୍ଟର ଅଖିଳେଶ ମିଶ୍ର। ସେ ଉତ୍ତରପ୍ରଦେଶ ପରିବହନ ବିଭାଗର ସ୍ବତନ୍ତ୍ର ସଚିବ। ସେ ଜଣେ ବରିଷ୍ଠ ଅଧିକାରୀ ହୋଇଥିବା ବେଳେ ଜଣେ ଭଲ କବି ମଧ୍ୟ। ତାଙ୍କୁ ପ୍ରାୟତଃ କବି ସମ୍ମିଳନୀରେ ଦେଖିବାକୁ ମିଳେ ।

ରାସ୍ତାକଡ଼ରେ ପରିବା ବିକିଲେ
ସୋସିଆଲ ମିଡିଆରେ ପରିବା ବିକା ଫଟୋ-ଭିଡିଓ ଭାଇରାଲ ହେବା ପରେ ଅଖିଳେଶ ମିଶ୍ର ଏନେଇ ଫେସବୁକ୍‌ ପୋଷ୍ଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି।  ସେ ଲେଖିଛନ୍ତି, ‘ମୁଁ କାଲି ସରକାରୀ କାର୍ଯ୍ୟରେ ପ୍ରୟାଗରାଜ ଯାଇଥିଲି। ଫେରିବା ବାଟରେ ପରିବା ଦେଖିବା ପାଇଁ ଅଟକିଥିଲି। ପରିବା ବିକୁଥିବା ଜଣେ ବୃଦ୍ଧା ସହ ଭେଟ ହୋଇଥିଲା। ସେ ମୋତେ ତାଙ୍କ ଦୋକାନ ଉପରେ ନଜର ରଖିବାକୁ କହି ଚାଲିଯାଇଥିଲେ। ବୋଧହୁଏ ତାଙ୍କ ପିଲା କେଉଁ ଆଡ଼େ ଚାଲିଯାଇଥିଲା। ତାକୁ ଖୋଜିବାକୁ ସେ ଦୋକାନରୁ ଉଠି ଯାଇଥିଲେ।’

ଆସିଲେ ଗ୍ରାହକ, IAS ବିକିଲେ ପରିବା
ସେ ଆହୁରି ଲେଖିଛନ୍ତି, ‘ ବୃଦ୍ଧାଙ୍କ କହିବା ଅନୁସାରେ ମୁଁ ଦୋକନରେ ବସିଥିଲି। ତାପରେ ଜଣେ ପରେ ଜଣେ ଗ୍ରାହକ ଆସିଥିଲେ। ସେମାନଙ୍କୁ ପରିବା ବିକ୍ରି କରିଥିଲି। ଏହି ସମୟରେ ମୋର ଜଣେ ବନ୍ଧୁ ଫୋନ୍‌ରେ ଫଟୋ ଉଠାଇ ଫେସବୁକ୍‌ରେ ଅପଲୋଡ୍‌ କରିଦେଇଥିଲେ। ଏହା ପରେ ପରିବା ବିକାଳି ବୃଦ୍ଧା ଫେରିଆସିଥିଲେ ଏବଂ ମୁଁ ସେଠାରୁ ପଳାଇଆସିଥିଲି। ମୋର ସେହି ଫଟୋ ଭାଇରାଲ୍‌ ହୋଇଥିବା ଜାଣିବାକୁ ପାଇଥିଲି। ପରେ ଫେସବୁକ୍‌ରୁ ସେହି ଫଟୋ ଡିଲିଟ୍‌ କରିଦେଇଥିଲି।’ ତେବେ ଆଇଏଏସ୍‌ ଅଧିକାରୀ ଅଖିଳେଶ ମିଶ୍ର ଏବେ ନିଜର ଫେସବୁକ୍‌ ପୋଷ୍ଟଟିକୁ ମଧ୍ୟ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.