ରାଜ୍ୟସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ ଆୟୋଜିତ

Published By : Prameya-News7 Bureau | August 10, 2022 IST

ଭୁବନେଶ୍ବର ୧୦।୮: ଓଡିଶା ଅଗ୍ନିଶମ ନିର୍ଦ୍ଦେଶାଳୟ ଦ୍ଵାରା ଭୁବନେଶ୍ବର ଠାରେ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ବରିଷ୍ଠ ଅଗ୍ନିଶମ ଅଧିକାରୀ ଅଧିବେଶନ-୨୦୨୨ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୃହରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ୨୦୪୭ ସୁଦ୍ଧା ଓଡ଼ିଶାରେ ଅଗ୍ନିକାଣ୍ଡ ଓ ବିପତ୍ତିର ତ୍ଵରିତ ମୁକାବିଲା ଲାଗି ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ଆନ୍ତର୍ଜାତୀୟ ମାନର ପ୍ରଶିକ୍ଷଣର ସୁବିଧା ସମ୍ପନ୍ନ  ଭିତ୍ତିଭୂମିର ବିକାଶ ଆବଶ୍ୟକତାକୁ ଜୋର ଦେଇଛନ୍ତି । କାରଣ ବର୍ଦ୍ଧିତ ଜନସଂଖ୍ୟା, ଦୃତ ସହରୀକରଣ , ଶିଳ୍ପାୟନ  ଓ ଆସନ୍ତା ସମୟମାନଙ୍କରେ ପ୍ରତ୍ୟେକ କ୍ଷେତ୍ରରେ ଅଟୋମେସନ ଓ କୁତ୍ରିମ ବୁଦ୍ଧିମତା ଭଳି ବୈଷୟିକ ଜ୍ଞାନର ଅନୁପ୍ରବେଶ ଜୀବନ ଓ ପ୍ରକୃତିକୁ ଜଟିଳ ପରିସ୍ଥିତିରେ ପକାଇବ ।ବର୍ତ୍ତମାନ ଅତି ଉଚ୍ଚ ନିର୍ମାଣ ଲାଗି  ଅଗ୍ନିସୁରକ୍ଷା କୋଡ୍ ଅନୁପାଳନର ତଦାରଖ କରିବା ଅପରିହାର୍ଯ୍ୟ ବୋଲି ମତ ଦେଇଛନ୍ତି  ।

{"id":668861,"sizeSlug":"full","linkDestination":"none"}

ସମ୍ମାନୀୟ  ଅତିଥି ଭାବେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରତାପ ଜେନା ଯୋଗଦେଇ ବିଗତ ବର୍ଷମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଗ୍ନିଶମ ଅଧିକାରୀମାନଙ୍କର ଅତୁଳନୀୟ ଯୋଗଦାନ ଦ୍ଵାରା କିପରି ଅମୂଲ୍ୟ ଜନଜୀବନ ଓ ସମ୍ପଦର ରକ୍ଷା ହେଇପାରିଛି ତାର ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ସରକାରଙ୍କ 'ଜିରୋ କାଜୁଆଲିଟି' ର ପ୍ରତିବଦ୍ଧତାକୁ ଅଗ୍ନିଶମ ସେବା ଆହୁରି ଦୃଢ଼ କରି ପାରିଥିବାରୁ ସାଧୁବାଦ ଜଣାଇଥିଲେ ।

ଏହି ଅବସରେ ଅଗ୍ନିଶମ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟୟ  ଅନ୍ୟ ଶିଳ୍ପାଞ୍ଚଳ ସହ ତୈଳ ଓ ରାସାୟନିକ ଶିଳ୍ପଗୁଡିକର ଅଗ୍ନି ବିପତ୍ତି ନିରୋଧ କ୍ଷମତା ବୃଦ୍ଧି କରିବା ଜରୁରୀ ବୋଲି ମନ୍ତବ୍ୟ ରଖିଥିଲେ । ଏହା ବ୍ୟତୀତ ଭବିଷ୍ୟତରେ ଅତି ଉଚ୍ଚ ନିର୍ମାଣର ସୁରକ୍ଷା, ରେଳ ଓ ମେଟ୍ରୋ ଅଘଟଣ, ସାମୁଦ୍ରିକ ତୈଳ ବିଛ୍ଛୁରଣ ମୁକାବିଲା କ୍ଷେତ୍ରରେ ପାରଦର୍ଶୀ ହେବାକୁ ପଡ଼ିବ ବୋଲି ଅଗ୍ନିଶମ ଅଧିକାରୀଙ୍କୁ ଉପଦେଶ ଦେଇଥିଲେ । ଅଧିବେଶନରେ ଅଗ୍ନି , ବିପତ୍ତି ଓ ମଣିଷ ଉପରେ ତାର ମନୋବୈଜ୍ଞାନିକ ପ୍ରଭାବ ବିଷୟରେ  ଆଲୋଚନା କରାଯାଇଥିଲା । ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ନିଆଁ ପ୍ରତିରୋଧ ଲାଗି ମୁକାବିଲା ଓ ଜନଜାଗୃତି  ଆବଶ୍ୟକତା ବିଷୟରେ ଚର୍ଚ୍ଚା ମଧ୍ୟ କରାଯାଇଥିଲା । ଅଧିକାରୀମାନେ ଅଗ୍ନି ନିରୋଧ, ପ୍ରତିରୋଧ  ଓ ଶମନ ଭିତ୍ତିକ ଅନେକ  ଆଲୋଚ୍ୟ ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ଶେଷରେ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନର ନିର୍ଦ୍ଦେଶକ ରମେଶ ମାଝୀ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.