ଆତ୍ମହତ୍ୟା କଲେ କି କନିଷ୍ଠ ଯନ୍ତ୍ରୀ ? ଗାଁ ପାଖ ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ
25/09/2023 at 1:08 PM

ବଡବିଲ ୨୫।୦୯ : ଚମ୍ପୁଆ ବ୍ଲକ ପରିମଳ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଠାବ । ଚମ୍ପୁଆ ଥାନା ଜୟନ୍ତୀନାପୁର ବୈତରଣୀ ନଦୀକୂଳରେ ଥିବା ଏକ ଜାମୁ ଗଛରୁ କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ସିଂଙ୍କ ମୃତଦେହ ଠାବ ହୋଇଛି । ମୃତଦେହ ଠାରୁ କିଛି ଦୂରରେ ତାଙ୍କ ବାଇକ୍ ଏବଂ ହେଲ୍ମେଟ୍ ପଡିଥିବା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ରବିବାର ଦିନ ପ୍ରାୟ ୧୧ଟା ସମୟରେ ଚମ୍ପୁଆ ବ୍ଲକ କଲୋନୀ ସ୍ଥିତ ସରକାରୀ ବାସଭବନରୁ ବାହାରିଥିଲେ । ଘରୁ ବାହାରିବା ବେଳେ ସାଙ୍ଗରେ ନିଜ ମୋବାଇଲ୍ ମଧ୍ୟ ନେଇନଥିଲେ ରାମକୃଷ୍ଣ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କ ସହିତ ଯୋଗାଯୋଗ କରିପାରିନଥିଲେ । ଶେଷରେ ଗାଁ ପାଖ ନଦୀ କୂଳରେ ତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବାର କିଛି ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପରିବାର ଓ ପୋଲିସକୁ ସୂଚନା ଦିଆଯାଇଥିଲା । ଏକ ପ୍ଲାଷ୍ଟିକ୍ ଦଉଡିରେ ତାଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା ।

ସେପଟେ ଚମ୍ପୁଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।