ପରଲୋକରେ ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ, ୮୮ ବର୍ଷ ବୟସ ଶେଷ ନିଶ୍ବାସ ତ୍ୟାଗ କଲେ କେଶରୀନାଥ ତ୍ରିପାଠୀ
8/01/2023 at 11:59 AM

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ପରଲୋକ । ରବିବାର ଭୋର ୫ଟାରେ ୟୁପିର ପ୍ରୟାଗରାଜରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ କିଛି ଦିନ ହେଲା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ବିଜେପିର ବରିଷ୍ଠ ନେତା କେଶରୀନାଥ ତ୍ରିପାଠୀ ୧୯୩୪ ମସିହା ନଭେମ୍ବର ୧୦ ତାରିଖରେ ଆହ୍ଲାବାଦରେ ଜନ୍ମ ହୋଇଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଓକିଲାତି କରୁଥିଲେ। ସେ ପ୍ରଥମେ ଜନତା ପାର୍ଟିରେ ଥିଲେ। ପରେ ୧୯୮୦ରେ ଯେତେବେଳେ ବିଜେପି ଗଠନ ହେଲା ସେ ସେଥିରେ ଯୋଗ ଦେଇଥିଲେ। ସେ ଉତ୍ତର ପ୍ରଦେଶ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଥିଲେ । ଉତ୍ତର ପ୍ରଦେଶ ବିଧାନସଭାରେ ତିନି ଥର ବାଚସ୍ପତି ରହିଥିଲେ କେଶରୀନାଥ । ସ୍ୱର୍ଗତ ତ୍ରିପାଠୀ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ ଜନତା ଦଳ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ।