ଆଟର୍ଣ୍ଣି ଜେନେରାଲ ହେବାକୁ ମନା କଲେ ମୁକୁଲ ରୋହତଗୀ, କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ କଲେ ଅସ୍ଵୀକାର

Published By : Prameya-News7 Bureau | September 25, 2022 IST

ନୂଆଦିଲ୍ଲୀ: ଦେଶର ପରିଚିତ ତଥା ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଦେଶର ଆଟର୍ଣ୍ଣି ଜେନେରାଲ ପଦରେ ନିଯୁକ୍ତି ପାଇଁ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗୁରୁତ୍ଵପୂର୍ଣ୍ଣ ପଦ ଗ୍ରହଣ କରିବାକୁ ରୋହତଗୀ କାହିଁକି ମନା କଲେ ତାର କାରଣ ଜଣା ପଡିନାହିଁ। ବର୍ତ୍ତମାନ ଦେଶର  ଆଟର୍ଣ୍ଣି ଜେନେରାଲ ପଦରେ ଅଛନ୍ତି କେକେ ବେଣୁଗୋପାଳ। ସେ ୨୦୧୭ ଜୁନ ୩୦ରୁ ପଦଭାର ଗ୍ରହଣ କରିଥିଲେ ଏବଂ ତାଙ୍କର କାର୍ଯ୍ୟକାଳ ୩ ବର୍ଷ ଥିଲା। ପରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ହେଲେ ବେଣୁଗୋପାଳ ଏହି ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ମୁକୁଲ ରୋହତଗୀ କହିଛନ୍ତି, ଭାରତ ସରକାରଙ୍କ ପ୍ରସ୍ତାବ ଅସ୍ଵୀକାର କରିବା ପଛରେ ସେମିତି କୌଣସି କାରଣ ନାହିଁ। ଏହା ପୂର୍ବରୁ ରୋହତଗୀ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରରେ ୨୦୧୪ରୁ ୨୦୧୭ ମଧ୍ୟରେ ଆଟର୍ଣ୍ଣି ଜେନେରାଲ ପଦ ସମ୍ଭାଳି ସାରିଛନ୍ତି।

ରୋହତଗୀଙ୍କ ପରେ କେକେ ବେଣୁଗୋପାଳ ୨୦୧୭ ଜୁଲାଇ ୧୫ରୁ ଏଜି ଦାୟିତ୍ଵ ଗ୍ରହଣ କରିଥିଲେ। ଏଥିସହିତ ତାଙ୍କ କାର୍ଯ୍ୟକାଳକୁ ତିନି ଥର ବୃଦ୍ଧି କରାଯାଇଥିଲା। ୨୦୨୦ରେ ତିନି ବର୍ଷର  କାର୍ଯ୍ୟକାଳ ସରିବା ପରେ ବି ସେ ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର କେନ୍ଦ୍ର ସରକାର ତାଙ୍କୁ ଏହି ପଦରେ ରହିବାକୁ ଅନୁରୋଧ କରିଥିଲେ।

ଭାରତ ସରକାରରେ ଆଟର୍ଣ୍ଣି ଜେନେରାଲ ପଦ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ। ଆଟର୍ଣ୍ଣି ଜେନେରାଲ ଭାରତ ସରକାରଙ୍କ ମୁଖ୍ୟ ଆଇନଗତ ପରାମର୍ଶଦାତା ଭୂମିକା ଗ୍ରହଣ କରିଥାନ୍ତି। ସମସ୍ତ ଆଇନଗତ ମାମଲାରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଅନ୍ତି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଆଟର୍ଣ୍ଣି ଜେନେରାଲଙ୍କୁ ନିଯୁକ୍ତି ଦେଇଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.