Covid ଭାକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଲାଗି ପଠାଇଲେ ଲିଗାଲ ନୋଟିସ୍, କ୍ଷତିପୂରଣ ବାବଦେ ମାଗିଲେ ୫ କୋଟି ଟଙ୍କା
28/11/2020 at 10:51 PM

ଚେନ୍ନାଇ ୨୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସିରମ ଇନିଷ୍ଟେଚ୍ୟୁଟ ପରିଦର୍ଶନ କରିଛନ୍ତି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଭାକ୍ସିନ ପ୍ରସ୍ତୁତି ନେଇ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି। ତେବେ ଇତିମଧ୍ୟରେ ସିରମ ଇନିଷ୍ଟିଚ୍ୟୁଟର ଭାକ୍ସିନ ପରୀକ୍ଷଣରେ ଅଂଶଗ୍ରହଣ କରିଥିବା ତାମିଲନାଡୁର ଜନୈକ ୪୦ ବର୍ଷ ବୟସ୍କ ବ୍ୟକ୍ତି ଏହାର ପାର୍ଶ୍ୱପ୍ରତିକ୍ରିୟା ଲାଗି ଅନୁଷ୍ଠାନକୁ ଲିଗାଲ ନୋଟିସ ପଠାଇ କ୍ଷତିପୂରଣ ଦାବି କରିଥିବା ଖବର ଆସୁଛି।
ସମ୍ପୃକ୍ତ ବ୍ୟକ୍ତି କେବଳ ସିରିମ ଇନିଷ୍ଟିଚ୍ୟୁଟ ନୁହେଁ ଆଇସିଏମଆର, ଡିସିଜିଆଇ ଓ ଶ୍ରୀ ରାମଚନ୍ଦ୍ର ଇନିଷ୍ଟିଚ୍ୟୁଟକୁ ମଧ୍ୟ ନୋଟିସ ପଠାଇଥିବା ଜଣାପଡିଛି। ପ୍ରମୁଖ ଇଂରାଜୀ ସମ୍ବାଦପତ୍ର ଇକନୋମିକ୍ସ ଟାଇମସ୍ ଖବର ଅନୁସାରେ ସମ୍ପୃକ୍ତ ବ୍ୟକ୍ତି ଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲରେ ଅଂଶଗ୍ରହଣ କରିଥିଲା। ଏହି ଟ୍ରାୟଲ ଶ୍ରୀ ରାମଚନ୍ଦ୍ର ଇନିଷ୍ଟିଚ୍ୟୁଟ୍ ଅଫ ହାୟର ଏଜୁକେସନ ଏଣ୍ଡ ରିସର୍ଚ୍ଚ ଚେନ୍ନାଇ ଆୟୋଜନ କରିଥିଲେ। ଗଣମାଧ୍ୟମ ରିପୋର୍ଟସ୍ ଅନୁସାରେ ପ୍ରର୍ଥୀ ପରୀକ୍ଷାମୂଳକ ଟିକା ଲଗାଇବା ପରେ ଗୁରୁତର ସ୍ୱାସ୍ଥ୍ୟଗତ ଜଟିଳତାର ସମ୍ମୁଖୀନ ହୋଇଥିଲେ। ତେବେ ସେ କେଉଁଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ସେ ନେଇ କିଛି ସୂଚିତ କରିନଥିବା ବେଳେ ଏବାବଦେ କ୍ଷତିପୂର୍ତ୍ତି ନିମନ୍ତେ ୫ କୋଟି ଟଙ୍କା ଦାବି କରିଛନ୍ତି।
ତେବେ ଏହି ପାର୍ଶ୍ୱପ୍ରତିକ୍ରିୟା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ବ୍ରିଟେନରେ ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଅଭିଯୋଗ ମିଳିବା ପରେ ସିରମ ସଂସ୍ଥା ଟିକାର ପରୀକ୍ଷଣ ବନ୍ଦ କରିଦେଇଥିଲେ। ଓକିଲ ଆର.ରାଜାରାମ ନଭେମ୍ବର ୨୧ ତାରିଖ ଦିନ ଏହି ନୋଟିସ ଜାରି କରି ସଂସ୍ଥାର ପ୍ରତିକ୍ରିୟାକୁ ଅପେକ୍ଷା କରି ରହିଛନ୍ତି। ଏ ନେଇ ସଂସ୍ଥାଙ୍କ ପକ୍ଷରୁ ପ୍ରତିକ୍ରିୟା ନ ମିଳିଲେ ହୁଏତ ଆଗାମୀ ସପ୍ତାହରେ ମାମଲା କୋର୍ଟକୁ ପହଞ୍ଚିପାରେ ବୋଲି ଓକିଲ ରାଜାରାମ କହିଛନ୍ତି।
ଓକିଲ ଜାରି କରିଥିବା ନୋଟିସ୍ରେ ସମ୍ପୃକ୍ତ ବ୍ୟକ୍ତିକୁ ଅକ୍ଟୋବର ୧ ତାରିଖରେ ଟିକା ମିଳିଥିଲା। ଏହାର ଠିକ୍ ୧୦ ଦିନ ପରେ ସମ୍ପୃକ୍ତ ବ୍ୟକ୍ତି ଭୀଷଣ ମୁଣ୍ଡ ବିନ୍ଧାରେ ଆକ୍ରାନ୍ତ ହୋଇଥିଲେ। ସେ ଏଥିଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅକ୍ଟୋବର ୨୬ ତାରିଖରେ ଚିଶ୍ଚାର୍ଯ ହୋଇଥିଲେ। ହେଲେ ବ୍ୟକ୍ତି ଏବେବି ଅସ୍ଥିର, ଗମ୍ଭୀର ମିଜାଜ ଓ ତାଙ୍କୁ କିଛି ବୁଝିବା ଅସହଜ ହେଉଥିବା ଓକିଲ ଦର୍ଶାଇଛନ୍ତି।
ତେବେ ଟିକା ପରୀକ୍ଷଣ ଲାଗି ତାଙ୍କ ମଧ୍ୟରେ ଏପରି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଓ କଦବା କ୍ୱଚିତ ସାମାନ୍ୟ ପାର୍ଶ୍ୱପ୍ରତିକ୍ରିୟା ହୋଇଥାଏ ବୋଲି ବିଶ୍ୱାସ ସୃଷ୍ଟି କରାଯାଇଥିଲା। ଅନ୍ୟପକ୍ଷରେ ପରୀକ୍ଷାମୂଳକ ଟିକା ପରେ ଏହାର ଫଲୋଅପ ମଧ୍ୟ କରାଯାଇନଥିବା ଓକିଲ ଦର୍ଶାଇଛନ୍ତି। ଏଣୁ ଏଭଳି ଭାକ୍ସିନର ବିତରଣ ତୁରନ୍ତ ବନ୍ଦ କରିବା ଲାଗି ମଧ୍ୟ ଅଂଶଗ୍ରହଣକାରୀ ଦାବି କରିଛନ୍ତି। ତେବେ ମାମଲାରେ ସିରମ କର୍ତ୍ତୃପକ୍ଷ ଏକ କନସେଣ୍ଟ ଫର୍ମ ଜାରି କରି ଯଦି ଆପଣ ଟିକା ନେଇ ଅଧ୍ୟୟନକାଳରେ ଅସୁସ୍ଥ ହୋଇପଡିଛନ୍ତି ତେବେ ଆମେ ଆପଣଙ୍କୁ ଉଚିତ ଚିକିତ୍ସା ଯୋଗାଇ ଦେବାକୁ ଉଦ୍ୟମ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଉପଚାରର ପ୍ରବନ୍ଧ କରିନାହାନ୍ତି।