ଆସାମ ବଦଳରେ ବିଧାୟକଙ୍କୁ ପଶ୍ଚିମବଙ୍ଗ ପଠାଅ, ଭଲ ଆତିଥ୍ୟ ପ୍ରଦାନ କରିବୁ: ମମତା ବାନାର୍ଜୀ

Published By : Prameya-News7 Bureau | June 23, 2022 IST

କୋଲକାତା: ଆସାମ ନୁହେଁ ପଶ୍ଚିମବଙ୍ଗ ଆସନ୍ତୁ, ଭଲ ଆତିଥ୍ୟ ଦେବୁ। ମହାରାଷ୍ଟ୍ରରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଦ୍ରୋହୀ ବିଧାୟକଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଆସାମ ବଦଳରେ ବିଦ୍ରୋହୀ ବିଧାୟକଙ୍କୁ ପଶ୍ଚିମବଙ୍ଗ ପଠାଇବା ଉଚିତ୍, ଆମେ ସେମାନଙ୍କୁ ଭଲ ଆତିଥ୍ୟ ପ୍ରଦାନ କରିବୁ।

ମମତା କହିଛନ୍ତି, ମହାରାଷ୍ଟ୍ରରେ ସଂପ୍ରତି ଯାହା ଘଟୁଛି ତାହା ଚକିତ କରିବା ଭଳି ରହିଛି। ବିଦ୍ରୋହୀ ବିଧାୟକଙ୍କୁ ଆସାମ ପରିବର୍ତ୍ତେ ପଶ୍ଚିମବଙ୍ଗ ପଠାଇବା ଉଚିତ୍। ଆମେ ସେମାନଙ୍କର ଉଚିତ୍ ଯତ୍ନ ନେବୁ। ଭାରତରେ ଏବେ ଗଣତନ୍ତ୍ର କାମ କରୁଥିବା ନେଇ ସନ୍ଦେହ ଲାଗୁଛି। ଆଉ କେଉଁଠି ଗଣତନ୍ତ୍ର ? ଏମିତି ଜନତାଙ୍କ ଦ୍ଵାରା ନିର୍ବାଚିତ ସରକାରଙ୍କ ଉପରେ ବୁଲଡୋଜର ଚଲାଯାଇ ପାରିବ ? ଆମକୁ ଜନତାଙ୍କ ପାଇଁ ନ୍ୟାୟ ଦରକାର, ଉଦ୍ଧବ ଠାକରେଙ୍କ ପାଇଁ ନ୍ୟାୟ ଦରକାର। ଏବେ ମହାରାଷ୍ଟ୍ରରେ ସରକାର ଭାଙ୍ଗୁଛି, ପୁଣି ଅନ୍ୟ ରାଜ୍ୟରେ ଏମିତି ପ୍ରୟାସ ଆରମ୍ଭ ହୋଇଯିବ ବୋଲି ମମତା କହିଛନ୍ତି।

ସଂପ୍ରତି କଂଗ୍ରେସ ଏବଂ ଆଉ କିଛି ବିରୋଧୀ ଦଳ ବିଜେପି ଉପରେ ଅଭିଯୋଗ କରିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ପ୍ରୟାସ କରାଯାଉଛି। ମମତା ମଧ୍ୟ କହିଛନ୍ତି ବିଜେପି ନିକଟରେ ସଂଖ୍ୟାବଳ ନାହିଁ, ଏହି କାରଣରୁ ମହାରାଷ୍ଟ୍ରରେ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରାଯାଉଛି।

ମମତା ବାନାର୍ଜୀ କହିଛନ୍ତି, ବର୍ତ୍ତମାନ ବିଜେପି ସରକାରରେ ରହିଛି। ଏଥିପାଇଁ ତାଙ୍କ ବିଧାୟକ, ନେତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ମୋ ପାର୍ଟିର ୨୦୦ ନେତାଙ୍କୁ ସିବିଆଇ-ଇଡି ନୋଟିସ୍ ଜାରି କରିଛି, କିନ୍ତୁ ବିଜେପିକୁ କିଛି ନାହିଁ। ସେମାନଙ୍କ ପଇସାର କୌଣସି ହିସାବ ନାହିଁ, କଣ ତାହାକୁ ମନି ଲଣ୍ଡ୍ରିଂ କୁହାଯିବ ନାହିଁ ? କେନ୍ଦ୍ର ସରକାରରେ ବସିଥିବା ଦଳ ଚୁଟକି ବିଧାୟକ କିଣୁଛନ୍ତି କଣ ଏହାକୁ ଘୋଟାଲା କୁହାଯିବ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.