ସେମି ଫାଇନାଲ୍: ଓ୍ଵାଙ୍ଖେଡ଼େରେ କୋହଲି-ଶ୍ରେୟସଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡ ସାମ୍ନାରେ ୩୯୮ ରନର ବିଶାଳ ଟାର୍ଗେଟ୍

Published By : Prameya-News7 Bureau | November 15, 2023 IST

ମୁମ୍ବାଇ: ହଟିଲା ନକଆଉଟ୍ କଳଙ୍କ। ଦମଦାର ବ୍ୟାଟିଂ କଲେ ଭାରତୀୟ ବ୍ୟାଟର। ଚୌକା ଓ ଛକାରେ ଉଛୁଳିଲା ଓ୍ଵାଙ୍ଖେଡ଼େ ଷ୍ଟାଡିୟମ। ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ୍ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଐତିହାସିକ ୫୦ମ ଶତକ(୧୧୭) ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ(୧୦୫) ରନ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୩୯୭ ରନ କରିଛି। ଶୁଭମନ ଗିଲ୍ ୭୯ ରନ(ରିଟାୟର୍ଡ ହଟ୍) ଓ ରୋହିତ ଶର୍ମା ୪୭ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ସେମି ଜିତି ଫାଇନାଲରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୯୮ ରନ ବିଶାଳ ସ୍କୋର କରିଛି। ନ୍ୟୁଜିଲାଣ୍ଡର ବୋଲର ସଂପୂର୍ଣ୍ଣ ପ୍ରଭାବହୀନ ରହିଛନ୍ତି। ଟିମ୍ ସାଉଦି ୩ ଓ୍ଵିକେଟ୍ ନେଇଥିଲେ ହେଁ ୧୦୦ ରନ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ୩୯୭ ରନ ବିଶ୍ଵକପ୍ ଇତିହାସରେ ଭାରତର ଚତୁର୍ଥ ସର୍ବାଧିକ ସ୍କୋର। ଏହା ସହିତ ବିଶ୍ଵକପର ନକଆଉଟ୍‌ରେ ଏହା କୌଣସି ଦଳ ଦ୍ଵାରା ସର୍ବୋଚ୍ଚ ସ୍କୋର।

ପଢନ୍ତୁ: କ୍ରିକେଟ୍‌ ଗଡ୍‌ଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆରେ ମାରିଲେ ୫୦ ତମ ଶତକ

ନକଆଉଟ୍ ମୁକାବିଲାରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦମଦାର ଆରମ୍ଭ ଦେଇଥିଲେ। ବିଶେଷ କରି ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି କିଓ୍ଵି ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟର ପ୍ରଥମ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ରୋହିତ ମାତ୍ର ୨୯ ବଲ୍‌ରୁ ୪ ଚୌକା ଓ ୪ ଛକା ସହ ୪୭ ରନ କରିଥିଲେ। ଏହା ପରେ ଶୁଭମନ ଗିଲ୍ ମଧ୍ୟ ଦ୍ରୁତ ବ୍ୟାଟିଂ କରିଥିଲେ। ସେ ୬୫ ବଲ୍‌ରୁ ୮ ଚୌକା ଓ ୩ ଛକା ସହ ୭୯ ରନ କରିଥିବା ବେଳେ ରିଟାୟର୍ଡ ହଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ କ୍ରିଜରେ ଆରମ୍ଭ ହୋଇଥିଲା ବିରାଟ କୋହଲି ଓ ଶ୍ରେୟସଙ୍କ ଶୋ। ଦୁଇ ବ୍ୟାଟର ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ।

ଗୋଟିଏ ପଟେ କୋହଲି ନିଜର କଳାତ୍ମକ ଖେଳ ଜାରି ରଖିଥିବା ବେଳେ ଅନ୍ୟପଟେ ଶ୍ରେୟସ ଲମ୍ବା ଛକା ମାରି ଚାଲିଥିଲେ। ଏହି ସମୟରେ କୋହଲି ଅର୍ଦ୍ଧଶତକ ପୂରଣ କରିବା ସହ ୫୦ତମ ଐତିହାସିକ ଶତକ ପୂରଣ କରି ସଚିନ ତେନ୍ଦୁଲକର ବିଶ୍ଵରେକର୍ଡ ଭାଙ୍ଗିବା ସହ ଦିନିକିଆ କ୍ରିକେଟରେ ଇତିହାସ ରଚିଛନ୍ତି। ୩୨୭ ରନ ସ୍କୋରରେ କୋହଲି ଆଉଟ୍ ହୋଇଥିଲେ। ସେ ୧୧୩ ବଲ୍‌ରୁ ୯ ଚୌକା ୨ ଛକା ସହ ୧୧୭ ରନ କରିଥିଲେ। ଚଳିତ ବିଶ୍ଵକପରେ କୋହଲିଙ୍କ ଏହା ତୃତୀୟ ଶତକ।

ଏହା ପରେ ଶ୍ରେୟସ ଆୟର ବିସ୍ଫୋରକ ଢଙ୍ଗରେ ମାତ୍ର ୬୭ ବଲ୍‌ରୁ ଚଳିତ ବିଶ୍ଵକପରେ କ୍ରମାଗତ ନିଜର ଦ୍ଵିତୀୟ ଶତକ ପୂରଣ କରିଛନ୍ତି। ଶ୍ରେୟସ ମାତ୍ର ୭୦ ବଲରୁ ୪ ଚୌକା ଓ ୮ ଛକା ସହାୟତାରେ ୧୦୫ ରନର ଧୂଆଁଧାର ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ଶ୍ରେୟସଙ୍କ ଦିନିକିଆରେ ଏହା ହେଉଛି ପଞ୍ଚମ ଶତକ। କେଏଲ ମଧ୍ୟ ଦ୍ରୁତ ବ୍ୟାଟିଂ କରି ୨୦ ବଲରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରି ଅପରାଜିତ ଥିଲେ। ଶେଷରେ ଭାରତ ୪ ଓ୍ଵିକେଟ୍ ହରାଇ ୩୯୭ ରନ କରିଛି। ମିଚେଲ୍ ସାଣ୍ଟନରଙ୍କୁ ବାଦ୍ ଦେଲେ ନ୍ୟୁଜିଲାଣ୍ଡର ବାକି ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଟିମ୍ ସାଉଦି ୩ଟି ଓ୍ଵିକେଟ୍ ନେଇଥିଲେ ହେଁ ୧୦ ଓଭରରେ ୧୦୦ ରନ ବ୍ୟୟ କରିଛନ୍ତି।

Also Read: ବିଶ୍ୱକପରେ ଛକାର ୱାର୍ଲଡ୍ ରେକର୍ଡ କଲେ ହିଟ୍‌ମ୍ୟାନ୍ ରୋହିତ ଶର୍ମା, କ୍ରିସ୍ ଗେଲଙ୍କୁ ପକାଇଲେ ପଛରେ

wp:heading {"level":1}

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.