ଆଉ ବଜାରରେ ମିଳିବନି ଗୋଟିକିଆ ସିଗାରେଟ, ବିମାନ ବନ୍ଦରରୁ ହଟିବ ସ୍ମୋକିଙ୍ଗ ଜୋନ୍

Published By : Prameya-News7 Bureau | December 14, 2022 IST

ନୂଆଦିଲ୍ଲୀ ୧୪।୧୨: ଯଦି ଆପଣ ଧୁମ୍ରପାନ କରନ୍ତି ଓ ପୁରା ପ୍ୟାକେଟ୍‌ ବଦଳେ ଗୋଟିକିଆ ସିଗାରେଟ କିଣୁଥାନ୍ତି ତେବେ ଏହି ଖବର ଆପଣଙ୍କ ଲାଗି। ଆଗକୁ ଦେଶରେ ଖୁଚୁରା ସିଗାରେଟ୍ ମିଳିବନି। କେନ୍ଦ୍ର ସରକାର ଖୁଚୁରା ସିଗାରେଟ୍ ବିକ୍ରି ଉପରେ କଟକଣା ଲଗାଇବାକୁ ବିଚାର କରୁଛନ୍ତି। ଏଣୁ ଆଗାମୀ କିଛି ମାସ ମଧ୍ୟରେ ସିଙ୍ଗଲ ସିଗାରେଟ ବିକ୍ରି ଉପରେ କଟକଣା ଲାଗୁ ହୋଇପାରେ। ହୁଏତ ୧ ଫେବୃଆରୀ ୨୦୨୩ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବାର୍ଷିକ ବଜେଟ୍ ଉପସ୍ଥାପନ ପୂର୍ବରୁ ଏହି କଟକଣା ଲାଗୁ ହୋଇପାରେ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂସଦ ସ୍ଥାୟୀ କମିଟି ଦେଶରେ ଖୁଚୁରା ସିଗାରେଟ ବିକ୍ରି ଉପରେ କଟକଣା ଲଗାଇବା ନିମନ୍ତେ ସୁପାରିଶ କରିଛନ୍ତି। ସଂସଦରେ ଆଗାମୀ ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ଏ ବାବଦେ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ଦେଶର ବିମାନ ବନ୍ଦରମାନଙ୍କରେ ଥିବା ସ୍ମୋକିଂ ଜୋନ ହଟାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହା ହେଲେ ବିମାନ ବନ୍ଦରରେ ଯାତ୍ରୀଙ୍କ ସିଗାରେଟ ପାନ ଉପରେ କଟକଣା ଲାଗିପାରେ।

{"id":721072,"width":840,"height":473,"sizeSlug":"full","linkDestination":"none"}

ଦେଶରେ ତମାଖୁ ଉତ୍ପାଦ ଉପରେ ରୋକ ଲଗାଇବା ପାଇଁ ଏହି ସୁପାରିଶ କରାଯାଇଛି। ଦେଶରେ କେନ୍ଦ୍ର ସରକାର ଚଳାଉଥିବା ତମାଖୁ ନିୟନ୍ତ୍ରଣ ଅଭିଯାନ ଲାଗି ସିଙ୍ଗଲ ସିଗାରେଟ୍ ବିକ୍ରି ଖୋଲା ଚାଲେଞ୍ଜ କରୁଛି। କେବଳ ଏତିକି ନୁହେଁ ସଂସଦ ସ୍ଥାୟୀ କମିଟି ଦେଶର ବିମାନ ବନ୍ଦରମାନଙ୍କରେ ଥିବା ସ୍ମୋକିଙ୍ଗ ଜୋନକୁ ହଟାଇବା ଲାଗି ମଧ୍ୟ ସୁପାରିଶ କରିଛନ୍ତି। ଯେହେତୁ କେନ୍ଦ୍ର ସରକାର ସଂସଦ ସ୍ଥାୟୀ କମିଟିଙ୍କ ସୁପାରିଶକୁ ଗ୍ରହଣ କରିଥାନ୍ତି, ଏଣୁ ଦେଶରେ ଖୁଚୁରା ସିଗାରେଟ ବିକ୍ରି ସହ ବିମାନ ବନ୍ଦରରେ ଥିବା ସ୍ମୋକିଂ ଜୋନ ମଧ୍ୟ ହଟିବ ବୋଲି ଏବେ ଆକଳନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ୩ ବର୍ଷ ପୂର୍ବେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ଦ୍ୱାରା ଇ-ସିଗାରେଟ ନିଷିଦ୍ଧ ଲାଗି ସୁପାରିଶ କରାଯାଇଥିଲା। ଏହି ସୁପାରିଶ ଆଧାରରେ ଦେଶରେ ଇ-ସିଗାରେଟର ବିକ୍ରି ବନ୍ଦ ହୋଇଯାଇଛି। କେନ୍ଦ୍ର ସରକାର ତମାଖୁ ଉପରେ ସର୍ବାଧିକ ଜିଏସଟି ଲାଗୁ କରିଛନ୍ତି। ଏହା ସତ୍ତ୍ୱେ ଦେଶରେ ତମାଖୁ ଉତ୍ପାଦର ମୂଲ୍ୟ ଉପରେ ସେପରି କୌଣସି ପ୍ରଭାବ ପଡୁ ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.