ସନ୍ଧ୍ୟା ଗଡ଼ିବା ମାତ୍ରେ ସମସ୍ତଙ୍କୁ ଟାଣି ଆଣୁଛି ବ୍ରହ୍ମପୁରର ସେଲ୍ଫି ପଏଣ୍ଟ୍ : ଲାଗୁଛି ଲମ୍ବା ଲାଇନ୍
13/06/2019 at 5:19 PM

ଗଞ୍ଜାମ ୧୩/୬: ବାରମ୍ବାର ପ୍ରକୃତି ଦାଉ ସାଧୁଛି ସିଲ୍କ ସିଟି ଉପରେ । ତେବେ ସହରର ସୌନ୍ଦର୍ଯ୍ୟକରଣକୁ ବ୍ରହ୍ମପୁର ମହାନଗର ନିଗମ ବେଶ ଗୁରୁତ୍ବ ଦେଉଛି ।ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଛି ସେଲଫି ପଏଣ୍ଟ୍ । ଆଉ ସଂଜ ନଇଁବା ମାତ୍ରେ ଏସବୁ ସ୍ଥାନରେ ଜମୁଛି ଭିଡ଼ ।

ପ୍ରକୃତି କୋପରେ ଉଜୁଡ଼ିଯାଇଥିଲା ସୌନ୍ଦର୍ଯ୍ୟ । ହେଲେ ବ୍ରହ୍ମପୁର ମହାନଗର ନିଗମ ତା କାମ ଆରମ୍ଭ କରିଦେଇଛି । ଉଜୁଡ଼ା ସୌନ୍ଦର୍ଯ୍ୟ ଧୀରେ ଧୀରେ ଫେରିଲାଣି । ସହରର ସବ୍ରେଜିଷ୍ଟାର୍ ଛକ, ଖଲ୍ଲିକୋଟ୍ କଲେଜ୍ ଛକ, କମାପଲ୍ଲୀ ଛକ, ଏମ୍.କେ.ସି.ଜି ମେଡିକାଲ୍ ଫାଟକ ସମ୍ମୁଖ ଆଦି ସ୍ଥାନରେ ବିଭିନ୍ନ ପ୍ରକାରର ଫାଉଣ୍ଟେନ୍ ସ୍ଥାପନ କରିଛନ୍ତି । ପାଣିର ଫୁଆର ସାଙ୍ଗକୁ ରଂଗ ବେରଙ୍ଗର ଆଲୋକ ସତରେ ଦେଖିଲା ଭଳି । ସେଥିପାଇଁ ଏଠି ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି ।

ସନ୍ଧ୍ୟା ଗଢିବା ମାତ୍ରେ ସମସ୍ତଙ୍କୁ ଟାଣି ଆଣୁଛି ଏହି ସେଲ୍ଫି ପଏଣ୍ଟ୍। ପିଲା ଠାରୁ ଆରମ୍ଭ କରି ବୟସ୍କ, ଛାତ୍ରଛାତ୍ରୀ ସମସ୍ତେ ଏସବୁ ସ୍ଥାନର ଫଟୋ ନିଜ କ୍ୟାମେରାରେ ତୋଳି ଧରୁଛନ୍ତି । ଏହାସହ ସେଲଫି ମଧ୍ୟ ଉଠାଉଛନ୍ତି । ସୁନ୍ଦରିଆ ପରିବେଶରେ ପରିବାର, ସାଙ୍ଗସାଥୀଙ୍କ ସେଲଫି ନନେବେ କେମିତି ଯେ । ଜାଞ୍ଜାଳିଆ ଜୀବନରୁ ବାହାରି ଏଇଠି ଟିକିଏ ମନ ହାଲୁକା କରୁଛନ୍ତି ସମସ୍ତେ । ଆଗାମୀ ଦିନରେ ଆହୁରୀ ଅନେକ ପ୦କ୍ଷେପ ଗ୍ରହଣ କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।
