ଚୟନକର୍ତ୍ତାଙ୍କୁ ରୋହିତ, କୋହଲି ଏବଂ ରାହୁଲଙ୍କ ସହ ଆଲୋଚନା କରିବାକୁ ପଡିବ, ଏମିତି କାହିଁକି କହିଲେ ପୂର୍ବତନ କ୍ରିକେଟର

Published By : Prameya-News7 Bureau | June 25, 2022 IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱ କପ୍ ପାଇଁ ଭାରତୀୟ ଦଳର ଟପ୍ ଅର୍ଡର ସ୍ଥିର ହୋଇ ନାହିଁ । ତେବେ କେଏଲ ରାହୁଲ ଏବଂ ରୋହିତ ଶର୍ମା ଦଳ ପକ୍ଷରୁ ଓପନିଂ କରିବେ ଏବଂ କୋହଲି ନମ୍ବର ୩ରେ ବ୍ୟାଟିଂ କରିବେ । ହେଲେ ନିକଟ ଦିନରେ ତିନି ବ୍ୟାଟସମ୍ୟାନଙ୍କ ଷ୍ଟ୍ରାଇକ ରେଟ୍ ସେମିତି ପ୍ରଭାବଶାଳୀ ରହିନାହିଁ, ଯେମିତି ରହିବା କଥା । ପୂର୍ବତନ ଭାରତୀୟ ୱିକେଟ୍ କିପର ବ୍ୟାଟସମ୍ୟାନ ସବା କରିମଙ୍କ ମତରେ ଯଦି ଏମିତି ଅବସ୍ଥା ଲାଗିରହେ ତେବେ ଚୟନକର୍ତ୍ତାଙ୍କୁ ଏହି ଖେଳାଳିଙ୍କ ସହ କଥା ହେବାକୁ ପଡିପାରେ । ଭାରତୀୟ ଦଳ ୨୦୦୭ ପରଠୁ ଟି-୨୦ ବିଶ୍ୱ କପ୍ ଜିତି ନାହିଁ । ଇଶାନ କିଷନ ଓପନିଂ ବ୍ୟାଟସମ୍ୟାନ ଭାବେ ପ୍ରବଳ ଦାବିଦାର ଅଛନ୍ତି ।

ସବା କରିମ ହିନ୍ଦୁସ୍ଥାନ ଟାଇମ୍ସ ସହ ସାକ୍ଷାତକାରରେ କହିଛନ୍ତି, ଚୟନକର୍ତ୍ତାଙ୍କ ପାଇଁ ଟି-୨୦ ବିଶ୍ୱ କପର ଦଳ ଚୟନ ସହଜ ରହିବ ନାହିଁ । ରୋହିତ ଶର୍ମା, କେଏଲ ରାହୁଲ ଏବଂ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ରହିବା ପ୍ରାୟତଃ ନିଶ୍ଚିତ ଲାଗୁଛି । ତିନି ବ୍ୟାଟସମ୍ୟାନ ନିଜ ଖେଳରେ ଉନ୍ନତି ଆଣିବାର ପର୍ଯ୍ୟାପ୍ତ ଅନୁଭବ ରହିଛି । ସେମାନେ ଟି-୨୦ ଦଳରେ ଦ୍ରୁତ ଗତିରେ ରନ କରିବା ଜାଣିଛନ୍ତି ।

ସବା କରିମ କହିଛନ୍ତି, ଯଦି ଖେଳାଳିଙ୍କ ଫର୍ମକୁ ନେଇ ଆଲୋଚନା ହୁଏ ତେବେ ଏହାର ସମାଧାନ କରିବାକୁ ପଡିବ । ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକଙ୍କୁ ଖେଳାଳିଙ୍କ ସହ ବ୍ୟକ୍ତିଗତ ଭାବେ କଥା ହେବାକୁ ପଡିବ । କାରଣ ତିନି ଖେଳାଳିଙ୍କୁ ମଧ୍ୟ କଡା ଚ୍ୟାଲେଞ୍ଜ ମିଳୁଛି । ଏହା ଭାରତୀୟ ଦଳ ପାଇଁ ଏକ ପ୍ରକାରର ସକରାତ୍ମକ ଖବର ଯେ, ବଡ ବଡ ଖେଳାଳିଙ୍କୁ ବି ଦଳରେ ଚ୍ୟାଲେଞ୍ଜ ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.