ଲକ୍ଷାଧିକ ଟଙ୍କାର ଧଳାଜହର ଜବତ, ପୋଲିସ୍ ପଞ୍ଝାରେ ୪ ଅଭିଯୁକ୍ତ
31/01/2023 at 9:50 PM

ଜଳେଶ୍ୱର I ଖୋର୍ଦ୍ଧା, ୩୧/୦୧: ଜଳେଶ୍ବର ପୋଲିସକୁ ବଡ଼ ସଫଳତା। ୨୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ବେପାରୀକୁ ଗିରଫ କରିଛି ପୋଲିସ୍। ୨୬୯ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ।
ଗତକାଲି ସନ୍ଧ୍ୟା ସମୟରେ ଜଳେଶ୍ୱର ଥାନା ପଥରପୁରା ମାଲଗୋଦାମ ଅଞ୍ଚଳରେ ବ୍ରାଉନସୁଗାର ବେପାର ହେଉଥିବା ସୂତ୍ରରୁ ଖବର ପାଇଥଲେ। ଆଉ ଜଳେଶ୍ୱର ପୋଲିସର ଏକ ଟିମ ଚଢ଼ଉ କରି ଆଜି ସକାଳ ସମୟରେ ୨୬୯ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଏହା ସହ ଜଣକୁ ଗିରଫ କରିଛି। ତାଙ୍କ ଠାରୁ ୨ ହଜାର ୭୦୦ ଟଙ୍କା, ଗୋଟିଏ ଫୋନ୍, ୫ଟି ପାନ୍ କାର୍ଡ ଜବତ ହୋଇଥିବା ନେଇ କହିଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ପୋଲିସ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

ସେପଟେ, ଖୋର୍ଦ୍ଧା ବାଘମାରୀ ପୋଲିସ୍ ମଧ୍ୟ ମଙ୍ଗଳବାର ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ସୂତ୍ରରୁ ଖବର ପାଇ ପୋଲିସ ପୋଡାଡିହ ଗ୍ରାମର ମା’ ମଙ୍ଗଳା ମନ୍ଦିର ନିକଟରେ ଚଢଉ କରିଥିଲେ। ଆଉ ଏହି ଚଢ଼ଉରେ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର, ଗୋଟିଏ ମୋଟର ସାଇକେଲ ଓ ଦୁଇଟି ମୋବାଇଲ ଫୋନ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ତିନି ଅଭିଯୁକ୍ତଙ୍କ ପରିଚୟ ମିଳିଛି। ସେମାନେ ହେଲେ ପୋଡାଡିହ ଗ୍ରାମର ବିଜୟ ପ୍ରଧାନ, ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନୂଆ ସୁନ୍ଦର ସାହିର ବସିର ଖାଁ ଓ ପଙ୍ଗାର ସିଂହ ଗ୍ରାମର ମନସୁର ଖାଁ। ସେମାନଙ୍କ ଠାରୁ ୧୫.୭୧ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୫୭ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଉଛି।