ରିଓର ଦୁଃଖ ଟୋକିଓରେ ଖୁସି, ରୌପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କ କାନଫୁଲ ​ଦେଖି କାନ୍ଦି ପକାଇଲେ ମା-ବାପା​‌

Published By : Prameya-News7 Bureau | July 24, 2021 IST

ନୂଆଦିଲ୍ଲୀ ୨୪/୭: ସଫଳତା ଆଣିଦେଲା ମା’ର ଆଶୀର୍ବାଦ। ମା ଦେଇଥିବା କାନଫୁଲ୍‌ ପାଇଁ ମୀରାବାଇ ଚାନୁ ଆଜି ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବା ସହ ଭାରତର ନାଁ ରଖିଦେଇଛନ୍ତି। ଅଲିମ୍ପିକ୍ସରେ ପ୍ରଥମ ମେଡାଲ ହେଉ ଅବା ଭାରତର ୨୧ ବର୍ଷ ଅପେକ୍ଷାର ଅନ୍ତ କିନ୍ତୁ ମୀରାବାଇ ଚାନୁ ଅନ୍ୟ ଏକ କାରଣ ପାଇଁ ସମସ୍ତ ନଜର ନିଜ ଆଡ଼କୁ ଟାଣିଛନ୍ତି। ତାହା ଆଉ କିଛି ନୂହଁ ବରଂ ୫ ବର୍ଷ ପୂର୍ବେ ତାଙ୍କ ମା’ ଦେଇଥିବା  କାନଫୁଲ। ମୀରାବାଇଙ୍କ ମାଙ୍କ ବିଶ୍ବାସ ଥିଲା ଝିଅର ଭାଗ୍ୟ ଦିନେ ନା ଦିନେ ଚମକି ଉଠିବ। ଯଦିଓ ରିଓ ୨୦୧୬ରେ ଏମିତି ହୋଇନଥିଲା କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ଚମିକିଲେ ଚାନୁ।

ମୀରାବାଇଙ୍କୁ ତାଙ୍କ ମା’ ନିଜ ଗହଣା ବିକି ଅଲିମ୍ପିକ୍ସ ରିଙ୍ଗସ୍‌(ଲୋଗୋ) ଆକୃତିର ଏକ କାନଫୁଲ ଉପହାର ଦେଇଥିଲେ। ଆଜି ଯେତେବେଳେ ଚାନୁ ଇତିହାସ ରଚିଲେ ତାଙ୍କ ପରିବାର ବିଶେଷ କରି ବାପା-ମାଙ୍କ ଆଖିରୁ ଖୁସୀରେ ଝରିପଡ଼ିଥିଲା ଲୁହ। ଏହି ସମୟର ଅନୁଭବ କେମିତି ଥିଲା ଏନେଇ ଚାନୁଙ୍କ ମା’ ସାଇଖୋମ ଓଙ୍ଗବି ତୋମ୍ବି ଲୀମା ପିଟିଆଇକୁ କହିଛନ୍ତି। ସେ କହିଛନ୍ତି, ‘ମୁଁ ସେ କାନଫୁଲ ଟିଭିରେ ଦେଖିଥିଲି। ମୁଁ ତାକୁ ଏହି କାନଫୁଲ ୨୦୧୬ ରିଓ ଅଲିମ୍ପିକ୍ସ ପୂର୍ବରୁ ଦେଇଥିଲି। ମୋ ପାଖରେ ଥିବା ଗହଣା ଏବଂ  ସଞ୍ଚୟ ଟଙ୍କାରେ ଏହାକୁ ତିଆରି କରିଥିଲି। ଯାହାଦ୍ବାରା ତାର ଭାଗ୍ୟ ଚମକିବ ଏବଂ ତାକୁ ସଫଳତା ମିଳିପାରିବ। ଏହାକୁ ଦେଖି ମୋ ଆଖିରୁ ଲୁହ ଝରିପଡ଼ିଲା। ତା, ବାପା ମଧ୍ୟ କାନ୍ଦି ପକାଇଥିଲେ। ତାହା ଖୁସୀର ଲୁହ। ସେ ନିଜର କଠିନ ପରିଶ୍ରମ ଫଳରେ ସଫଳତା ପାଇଛି।’  

ଟୋକିଓ​‌ରେ ଇତିହାସ ରଚିବା ବେଳେ ତାଙ୍କ ଘରେ ସମସ୍ତ ସମ୍ପର୍କୀୟଙ୍କ ଭିଡ଼ ଲାଗିଥିଲା। ମୀରାବାଇ ଟୋକିଓ ଅଲିମ୍ପିକ୍ସରେ ୪୯ କିଗ୍ରା ଭାରୋତ୍ତଳନରେ ରୌପ୍ୟ ପଦକ ଜିଣି ଭାରତର ମେଡାଲ ଅଭିଯାନ ଆରମ୍ଭ କରିଛନ୍ତି। ଏହା ସହ ଭରୋତ୍ତଳନ ପଦକ କ୍ଷେତ୍ରରେ ସେ ଭାରତର ୨୧ ବର୍ଷର ଅପେକ୍ଷାରେ ବିରାମ ଟାଣିଛନ୍ତି। ତେବେ ମଣିପୁରର ରାଜଧାନୀ ଇମ୍ଫାଲରୁ ୨୫ କିମି ଦୂର ନୋଙ୍ଗପୋକ କାକଚିଙ୍ଗରେ ଥିବା ଚାନୁଙ୍କ ଘରେ ଭିଡ଼ି ଜମିଥିଲା।

ଚାନୁଙ୍କ ମା କହିଛନ୍ତି, ‘ସେ କହୁଥିଲା  ସ୍ବର୍ଣ୍ଣ ପଦକ କିମ୍ବା ଅତିକମରେ ମେଡାଲଟିଏ ଜିତିବ। ସମସ୍ତେ ଏଥିପାଇଁ ଅପେକ୍ଷା କରିଥିଲେ। ଗତକାଲି ରାତିରୁ ଅନେକ ସମ୍ପର୍କୀୟ ଘରକୁ ଆସିଥିଲେ। ଆଜି ସକାଳେ ଅନେକ ଲୋକ ଘର ପାଖକୁ ଆସିଥିଲେ। ମୀରାବାଇଙ୍କ ଖେଳ ଦେଖିବାକୁ ପାଖାପାଖି ୫୦ ଜଣ ଘରେ ଥିଲେ। ଘର ପରିବେଶ ଏକଦମ ପାର୍ବଣର ଉତ୍ସବ ପରି ମନେ ହେଉଥିଲା।’  

ସେପଟେ ନିଜର ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଚାନୁ ଘରକୁ ଭିଡିଓ କଲ କରି ଗୁରୁଜନମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଚାନୁ ରୌପ୍ୟ ପଦକ ଜିତିବା ପରେ ବହୁ ସଂଖ୍ୟକ ସାମ୍ବାଦିକ ଘରକୁ ଆସିଥିଲେ ଏମିତି ଆଗରୁ କେବେ ହୋଇନଥିଲା ବୋଲି ଖୁସୀ ଭରା ଛଳ ଛଳ ଆଖିରେ କହିଛନ୍ତି ମୀରାବାଇ ଚାନୁଙ୍କ ମା’।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.