ଦିଲ୍ଲୀ ସରକାରୀ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ସିଡ୍ ଫଣ୍ଡରେ ମିଳିବ୨ ହଜାର ଟଙ୍କା
7/09/2021 at 6:43 PM

ନୂଆଦିଲ୍ଲୀ ୭।୯: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତା ସୃଷ୍ଟି ଉଦ୍ଦେଶ୍ୟରେ ସରକାର ଘୋଷଣା କରିଥିବା ସିଡ୍ ଫଣ୍ଡ ବିତରଣ ନେଇ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଘୋଷଣା କରିଛନ୍ତି। ଏଥିଲାଗି ପାଇଲଟ ପ୍ରୋଜେକ୍ଟର ସଫଳତା ଦେଖିବା ପରେ ସରକାର ରାଜଧାନୀର ୪୧ଟି ସରକାରୀ ବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ସିଡ୍ ଫଣ୍ଡ ପ୍ରଦାନ କରାଯିବ ବୋଲି ସିସୋଦିଆ କହିଛନ୍ତି।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତା ଲାଗି ଆଗ୍ରହ ସୃଷ୍ଟି ନିମନ୍ତେ ୨୦୧୯ ମସିହାରେ ଦିଲ୍ଲୀ ସରକାର ପାଠ୍ୟକ୍ରମରେ ଇଏମସି କ୍ଲାସେସ୍ ପ୍ରବର୍ତ୍ତିତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅନୁମୋଦିତ ବ୍ୟବସାୟୀକ ଚିନ୍ତାଧାରା ଲାଗି ପାଠ୍ୟକ୍ରମରେ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଏଥିଲାଗି ସେମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ସିଡ ଫଣ୍ଡ ପ୍ରଦାନ କରାଯାଉଥିଲା। ଏହି ପାଠ୍ୟକ୍ରମ ବେଶ୍ ଆଦ୍ରୁତ ହୋଇଥିବା ବେଳେ ସରକାର ଗତ ମାର୍ଚ୍ଚ ମାସରେ ଏହି ପାଣ୍ଠିକୁ ୨ ହଜାର ଟଙ୍କା କରିଛନ୍ତି।
ଏହି ଯୋଜନା ରାଜ୍ୟର ଅନୁନ୍ୟ ୩ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ଉପକୃତ କରିବ ବୋଲି ସିସୋଦିଆ କହିଛନ୍ତି। ସେ କହିଛନ୍ତି ଯେ ପାଇଲଟ ପ୍ରକଳ୍ପର ଉତ୍ସାହଜନକ ଫଳାଫଳରୁ ସରକାର ଷ୍ଟାର୍ଟଅପ ନୀତିର ଇଏମସି ପ୍ରକଳ୍ପରେ କିଛି ଉପାଦାନ ଅନ୍ତର୍ଭୁକ୍ତ କରିପାରନ୍ତି। ଯାହା ଏବେ ବିଚାରାଧୀନ ରହିଥିବା ସେ କହିଛନ୍ତି। ଦିଲ୍ଲୀର ଖିଚରୀପୁର ସ୍କୁଲରେ ପ୍ରଥମେ ଏହି ପାଇଲଟ ପ୍ରକଳ୍ପ କାର୍ଯ୍ୟାରମ୍ଭ କରିଥିଲା।

ଏଥିରେ ଅଂଶଗ୍ରହଣ କରିଥିବା ବିଦ୍ୟାଳୟର ୪୧ ଜଣ ଛାତ୍ରଛାତ୍ରୀ ସେମାନଙ୍କ ପ୍ରଦର୍ଶନ କରିଛନ୍ତି। ପୁରୁଣା ମୋବାଇଲ ଫୋନର ନବିକରଣ, ହାତ ତିଆରି ଚକୋଲେଟ, ହସ୍ତତନ୍ତ୍ର ସାମଗ୍ରୀ, ସ୍ୱଳ୍ପ ମୂଲ୍ୟରେ ନିର୍ମିତ ବ୍ଲୁଟୁଥ ସ୍ପିକର ଆଦି ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଇଏମସି କ୍ଲାସ ଛାତ୍ରଛାତ୍ରୀ ସେମାନଙ୍କ ଦକ୍ଷତା ଓ ଅଭ୍ୟାସକୁ ଲାଭଜନକ ବ୍ୟବସାୟରେ ପରିଣତ କରିପାରିବେ ବୋଲି କହିଛନ୍ତି।
ଦ୍ୱାଦଶ ଶ୍ରେଣୀର ଛାତ୍ର ଅଭିଷେକ ସୋନୀ ଯିଏ ନିଜେ ଜଣେ ଚିତ୍ରକର ଗତ ୧ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ଇଏମସି କ୍ଲାସ୍ ଅନୁକରଣରେ ନିଜ ଚିତ୍ରକଳା ବିକ୍ରୟ କରି ଟ୍ୟୁସନ ଫି ଦେଇ ଆସୁଥିବା କହିଛନ୍ତି। ସେ ତାଙ୍କ ଭଳି ଆଉ ୪ଜଣ ସହପାଠିଙ୍କୁ ଏକତ୍ର କରି ସିଡ୍ ଫଣ୍ଡ ଅର୍ଥରେ ‘ଟ୍ୟାପ୍ ଟୁ ଡ୍ର’ ନାମରେ ଏକ କଳାତ୍ମକ ଚିନ୍ତାଧାରା ବିକାଶ କରିଛନ୍ତି। ଏଥିରେ ସେମାନଙ୍କ ପ୍ରସ୍ତୁତ କଳାକୃତି ସବୁ ବେଶ ମୂଲ୍ୟରେ ବିକ୍ରି ହେଉଥିବା ବେଳେ ସେମାନେ ଏପର୍ଯ୍ୟନ୍ତ ଅନୁନ୍ୟ ୨୦ ହଜାର ଟଙ୍କାର କଳାକୃତି ବିକ୍ରି କରିଥିବାର କହିଛନ୍ତି।