ବୋମା ଧମକ ପରେ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Published By : Prameya-News7 Bureau | February 17, 2023 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସରକାରୀ ବାସଭବନ ସମ୍ମୁଖର ବୋମା! ଏହି ଖବର ମିଳିବା ପରେ ପରେ ତୁରନ୍ତ ସୁରକ୍ଷା କର୍ମୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଛାନଭିନ ପରେ କୌଣସି ବୋମା ମିଳି ନଥିଲା। ଖବର ଏକ ଗୁଜବ ଥିଲା ବୋଲି ୟୁପି ପୁଲିସ କହିଛି।

ତେବେ ଏହି ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ସୁରକ୍ଷା  ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଘଟଣା ସ୍ଥଳରେ ବୋମା ନିଷ୍କ୍ରୀୟକାରୀ ଦଳ ମଧ୍ୟ ଉପସ୍ଥିତ ରହିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଉତ୍ତର ପ୍ରଦେଶ ପୁଲିସ ଘଟଣାର ତଦନ୍ତ କରୁଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ୟୁପି ଡିସିପି କହିଛନ୍ତି ଯେ ଦିଲ୍ଲୀ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍ କଲ୍ ଆସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସରକାରୀ ବାସଭବନରେ ବୋମା ରଖାଯାଇଛି ବୋଲି କୁହାଯାଇଥିଲା। ଏହାପରେ ତୁରନ୍ତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ହେଲେ ସେଭଳି କୌଣସି ସାମଗ୍ରୀ ଜବତ ହୋଇ ନାହିଁ।

ଏହା ଏକ ଗୁଜବ ହେଇପାରେ ବୋଲି ପୁଲିସ ଡେପୁଟି କମିଶନର କହିଛନ୍ତି। ବର୍ତ୍ତମାନ ପୁଲିସ ମାମଲାର ଯାଞ୍ଚରେ ଲାଗିଯାଇଛି। କିଏ ଫୋନ୍ କରି ଏଭଳି ମିଛ ଖବର ଦେଲା ତାକୁ ଧରିବାକୁ ୟୁପି ପୁଲିସ ଉଦ୍ୟମ ଆରମ୍ଭ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.