ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା ବେଳେ ବେଲୁନ ଛାଡିଲେ କଂଗ୍ରେସକର୍ମୀ, ୪ ଗିରଫ

Published By : Prameya-News7 Bureau | July 04, 2022 IST

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ମାମଲା ସାମନାକୁ ଆସିଛି। ଏଠାରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆଡକୁ ପ୍ରଦର୍ଶନକାରୀ କଳା ରଙ୍ଗର ବେଲୁନ ଛାଡିଥିଲେ। ବିଜୟୱାଡାରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବା ସମୟରେ ଆକାଶରେ କଳା ବେଲୁନ ଉଡୁଥିବା ଦେଖିବାକୁ ମିଳିଥିଲା । କଂଗ୍ରେସକର୍ମୀ ଏହି ବେଲୁନ ଛାଡିଥିଲେ।

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯେଉଁ ସ୍ଥାନରୁ ଉଡାଣ ଭରିଥାନ୍ତା, ସେଠାରେ କଂଗ୍ରେସ କର୍ମୀ ପ୍ରଦର୍ଶନ କରୁଥିଲେ। ତାଙ୍କ ହାତରେ କଳା ରଙ୍ଗର ବେଲୁନ ଏବଂ ଫ୍ଲାକକାର୍ଡ ଧରିଥିଲେ। ଏହାସହ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଥିଲେ।

ବିଜୟୱାଡା କମିଶନର କାନ୍ଥୀ ରାଣାଙ୍କ କହିବା କଥା, ପିଏମଙ୍କ ହେଲିକପ୍ଟରରୁ ପ୍ରାୟ ଦୁଇ କିଲୋମିଟର ଦୂରେରୁ କିଛି କଂଗ୍ରେସକର୍ମୀ ବେଲୁନ ଛାଡିଥିଲେ। ଏହି ମାମଲାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଜଣେ ଏବେ ବି ଫେରାର ଥିବା ସେ କହିଛନ୍ତି।

ଗନ୍ନାବରମ ବିମାନ ବନ୍ଦରରୁ ଉଡାଣ ଭରିବାର ମାତ୍ର ୫ ମିନିଟ ପରେ ବିମାନ ବନ୍ଦରରୁ ପ୍ରାୟ ୪ କିଲୋମିଟର ଦୂରରୁ ବେଲୁନ ଛଡାଯାଉଥିବା ଦେଖିବାକୁ ମିଳିଥିଲା। ଦୁଇ କଂଗ୍ରେସ କର୍ମୀ ରାଜୀବ ରତନ ଏବଂ ରବି ପ୍ରକାଶ ଏକ ନିର୍ମାଣଧିନ କୋଠାରେ ଚଢି ଏହି କଳା ରଙ୍ଗର ବେଲୁନ ଉଡାଇଥିଲେ। ଅନ୍ୟପଟେ ବିଜେପି ଅଧ୍ୟକ୍ଷ ସୋମୁ ବୀରରାଜୁ ଏହାର କଡା ବିରୋଧ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ବିରୁଦ୍ଧରେ କଂଗ୍ରସ ଷଡଯନ୍ତ୍ର ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଅଲ୍ଲୁରୀ ସୀତାରାମ ରାଜୁଙ୍କ ଜନ୍ମ ଜୟନ୍ତୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆନ୍ଧ୍ର ପ୍ରଦେଶ ଗସ୍ତ କରିଥିଲେ। ଏହି ଅବସରରେ ସେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ୩୦ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.