ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସକର୍ମୀ ମାଜିଷ୍ଟ୍ରେଟଙ୍କ ଜୋତା ସାନିଟାଇଜ କରୁଥିବା ଫଟୋ ଭାଇରାଲ : ଜିଲ୍ଲା ଅଧିକାରୀଙ୍କ ସଫେଇ...

Published By : Prameya-News7 Bureau | April 28, 2020 IST

କାନପୁର ୨୮/୦୪ : କରୋନା ଭାଇରସ ବିରୋଧରେ ଯୁଦ୍ଧ ଜାରି ରହିଛି | କରୋନାକୁ ମାତ ଦେବା ପାଇଁ ଦିନ ରାତି ଉଦ୍ୟମ ଜାରି ରହିଛି | ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ ପୋଲିସ ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ନିଜ ଦାୟିତ୍ୱରେ ବନ୍ଧା ହୋଇ ରହିଛନ୍ତି | ସମସ୍ତେ ନିଜ ଦାୟିତ୍ୱ ସଠିକ ଭାବେ ତୁଲାଇବାକୁ ପ୍ରୟାସ କରୁଛନ୍ତି | ଏହିଭଳି ସମୟରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଜିଲ୍ଲା ଅଧିକାରୀଙ୍କ ଭଳି ଅଧିକାରୀଙ୍କୁ ବଦନାମ କରିବାକୁ ପଛାଉ ନାହାନ୍ତି | 

ସୋମବାର ଦିନ କାନପୁର ଜିଲ୍ଲା ମାଜିଷ୍ଟ୍ରେଟ ଡ.ବ୍ରହ୍ମାଦେବ ତିୱାରୀଙ୍କ ଗୋଟିଏ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଫଟୋ ସହିତ ଲେଖା ଯାଇଥିଲା କରୋନା ହସ୍ପିଟାଲ ନିରୀକ୍ଷଣ କରିବାକୁ ଯାଇଥିବା ଜିଲ୍ଲା ମାଜିଷ୍ଟ୍ରେଟ ନିଜ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସକର୍ମୀଙ୍କୁ ନିଜ ଜୋତା ସାନିଟାଇଜ କରିବାକୁ କହିଥିଲେ ଏବଂ ପୋଲିସକର୍ମୀ ତାଙ୍କ ଜୋତା ସାନିଟାଇଜ କରିଥିଲେ | ଏହା ଜଣେ ପୋଲିସକର୍ମୀଙ୍କ ୟୁନିଫର୍ମର ଅପମାନ |   

ଏହି ଫଟୋ ପୁରା ରାଜ୍ୟରେ ଭାଇରାଲ ହୋଇଛି | ଫଟୋ ଭାଇରାଲ ହେବାପରେ ଲୋକେ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କମେଣ୍ଟ କରିଥିଲେ | ଶେଷରେ ମାଜିଷ୍ଟ୍ରେଟ ବ୍ରହ୍ମାଦେବ ତିୱାରୀ ସାମ୍ନାକୁ ଆସିଥିଲେ | ସେ କହିଲେ ଯେ ସୋସିଆଲ ମିଡ଼ିଆରେ ତାଙ୍କର ଫଟୋକୁ ନେଇ ଅପପ୍ରଚାର କରାଯାଉଛି | ଘଟଣାକୁ ନେଇ ସଫେଇ ଦେଇଥିଲେ | ସେ କହିଥିଲେ ଯେ, ସେ କାଂଶୀରାମ ହସ୍ପିଟାଲକୁ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ | ସେତେବେଳେ ତାଙ୍କ ଜୋତା ତଳେ କୌଣସି ଜିନିଷ ରହି ଯାଇଥିବା ଭଳି ତାଙ୍କୁ ଅନୁଭୂତ ହୋଇଥିଲା | ସେ ଦେଖିବାକୁ ଚେଷ୍ଟା କରିଥିଲେ ଜୋତା ତଳେ କଣ ରହିଯାଇଛି | ସେତେବେଳେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ମଧ୍ୟ ତଳେ ବସି ଦେଖିବାକୁ ଚେଷ୍ଟା କରୁଥିଲେ ଜୋତା ତଳେ କିଛି ରହିଯାଇଛି କି | ଅର୍ଥାତ ମାଜିଷ୍ଟ୍ରେଟ ଏଠାରେ କହିବାକୁ ଚେଷ୍ଟା କରିଛନ୍ତି ଯେ ମିଛଟାରେ ତାଙ୍କ ଫଟୋ ଭାଇରାଲ କରାଯାଇଛି ଯେ ପୋଲିସକର୍ମୀ ତାଙ୍କ ଜୋତା ସାନିଟାଇଜ କରୁଥିଲେ | 

ଜିଲ୍ଲା ଅଧିକାରୀ ଡ.ବ୍ରହ୍ମାଦେବ ତିୱାରୀ ମେଘାଳୟ କ୍ୟାଡରର ୨୦୦୬ ବ୍ୟାଚର ଆଇଏଏସ ଅଫିସର | ସେ ମେଘାଳୟ ସରକାରଙ୍କ ବିଭିନ୍ନ ପଦବୀରେ କାର୍ଯ୍ୟ କରିସାରିଛନ୍ତି | କାନପୁର ଜିଲ୍ଲା ଅଧିକାରୀ ହେବା ପୂର୍ବରୁ ସେ ପଞ୍ଚାୟତିରାଜ ନିର୍ଦେଶାଳୟରେ ଗରମୀନା ସ୍ୱଚ୍ଛ ଭାରତ ମିଶନ ପଞ୍ଚାୟତିରାଜର ନିର୍ଦେଶକ ପଦବୀରେ କାର୍ଯ୍ୟରତ ଥିଲେ | ତା ପୂର୍ବରୁ ଡ.ତିୱାରୀ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ପରିବହନ ନିଗମର ପ୍ରବନ୍ଧକ ନିର୍ଦେଶକ ପଦବୀରେ କାର୍ଯ୍ୟରତ ଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.