ପୂର୍ବତନ ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସୁରକ୍ଷା ହ୍ରାସ, ଜାଣନ୍ତୁ କହିଲେ କ’ଣ?
15/03/2023 at 7:20 PM

ନୂଆଦିଲ୍ଲୀ ୧୫।୩: ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ତାଙ୍କ ସୁରକ୍ଷା ହ୍ରାସ କରିଦିଆଯାଇଥିବାର ସେ ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ ପୂର୍ବରୁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା, ଏବେ ସୁରକ୍ଷା ଲାଗି ଜଣେ ପିଏସଓ ମୁତୟନ ରହିବେ। ସୁରକ୍ଷା ହ୍ରାସ ପରେ ପୂର୍ବତନ ରାଜ୍ୟପାଳ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି। ସତ୍ୟପାଲ ମଲ୍ଲିକ ଜମ୍ମୁ-କାଶ୍ମୀର ବ୍ୟତୀତ ମେଘାଳୟ ଓ ଗୋଆର ରାଜ୍ୟପାଳ ମଧ୍ୟ ଥିଲେ।

ମଲ୍ଲିକ କହିଛନ୍ତି ଯେ ମୋତେ ପୋଲିସ ମୁଖ୍ୟାଳୟରୁ ଜେଡ ପ୍ଲସ୍ ସୁରକ୍ଷା ହଟା ଯାଉଥିବାର ସୂଚିତ କରାଯାଇଛି। କେବଳ ଜଣେ ପିଏସଓଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସେ ମଧ୍ୟ ୩ ଦିନ ହେଲା ଆସୁ ନାହାନ୍ତି। ମୁଁ କୌଣସି ରାଜନୈତିକ ବ୍ୟକ୍ତି ନୁହେଁ, ଏଣୁ କୌଣସି ରାଜନୈତିକ ଦଳରେ ମୋର ଯୋଗ ଦେବାର ପ୍ରଶ୍ନ ହିଁ ଉଠୁନଥିବା ସେ କହିଛନ୍ତି। ତେବେ ସୁରକ୍ଷା ପ୍ରତ୍ୟାହାର ହୋଇଥିବାରୁ ଯଦି ମୋ ପ୍ରତି କିଛି ଅଘଟଣ ଘଟେ ତେବେ ଏଥି ପାଇଁ କେନ୍ଦ୍ର ସରକାର ଦାୟି ରହିବେ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ମୁଁ ଗଭର୍ଣ୍ଣର ଥିବା ବେଳେ ଜମ୍ମୁ-କାଶ୍ମୀରର ବିଧାନସଭା ଭଙ୍ଗ କରିଥିଲି। ଏହା ଛଡା ମୋରି କାର୍ଯ୍ୟକାଳରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିଥିଲା। ତେବେ ମୋ ଜାଣିବାରେ ଜମ୍ମୁ-କାଶ୍ମୀରରେ ପୂର୍ବରୁ ଥିବା ରାଜ୍ୟପାଳମାନଙ୍କୁ ଏବେବି ସୁରକ୍ଷା ଯୋଗାଇ ଦିଆଯାଉଛି। ଏଥିରେ ମୋର ସୁରକ୍ଷା କାହିଁକି ହଟା ଗଲା ତାହା ମୁଁ ଜାଣି ପାରୁ ନାହିଁ ବୋଲି କହିଛନ୍ତି। ସତ୍ୟପାଲ ମଲ୍ଲିକ ପ୍ରାୟତଃ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମତ ମନ୍ତବ୍ୟ ଦେବା ଲାଗି ଚର୍ଚ୍ଚାରେ ଥାନ୍ତି। ଏଥିରେ ତାଙ୍କର ସୁରକ୍ଷା ହଟାଇ ଦିଆଯିବାର ଅଭିଯୋଗ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି।