ଦିଲ୍ଲୀରେ ଘଡ଼ିକେ ଘୋଡ଼ା ଛୁଟୁଛି, ପୁଣି ଜାରି ହୋଇଛି ୧୪୪ ଧାରା...

Published By : Prameya-News7 Bureau | March 01, 2020 IST

ନୂଆଦିଲ୍ଲୀ୧/୩: ଦିଲ୍ଲୀରେ ଘଡ଼ିକେ ଘୋଡ଼ା ଛୁଟୁଛି । ଉତ୍ତରପୂର୍ବ ଦିଲ୍ଲୀରେ ଶାନ୍ତି ଫେରୁଛି କିନ୍ତୁ ଆଜିଠାରୁ ଶାହିନବାଗରେ ୧୪୪ ଧାରା ଜାରି କରାଯାଇଛି । ହିଂସାକାଣ୍ଡ ଆଶଙ୍କାକୁ ଟାଳିବା ତଥା ପ୍ରତିଷେଧକ ମୂଳକ ପଦକ୍ଷେପ ଭାବେ ଆଜି ସକାଳୁ ଶାହିନବାଗରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ମୁତୟନ କରାଯାଇଛି । ଗତକାଲି ହିନ୍ଦୁସେନା ବିରୋଧସ୍ଥଳ ଖାଲି କରିବା ପାଇଁ ଡାକରା ଦେବା ପରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ନାଗରିକତା ସଂଶୋଧନ ଆଇନ ବିରୋଧରେ ଶାହିନବାଗରେ ଗତ ବର୍ଷ ଡିସେମ୍ବର ମାସରୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ସେପଟେ ଉତ୍ତରପୂର୍ବ ଦିଲ୍ଲୀର ଜାଫରାବାଦ, ଶିବ ବିହାର ଆଦି ଅଞ୍ଚଳରେ ସ୍ଥିତିରେ ସୁଧାର ଆସୁଛି ।

ହିଂସାକାଣ୍ଡ ଘଟିଥିବା ଅଞ୍ଚଳକୁ ସଫାକରାଯାଉଛି । ରାସ୍ତା ଉପରେ ପଡ଼ିଥିବା ପୋଡ଼ା ଗାଡ଼ି ଗୁଡ଼ିକୁ ସଫା କରାଯାଉଛି। ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳକୁ ଯାଇ ପ୍ରତିଦିନ ସ୍ଥିତି ସମୀକ୍ଷା କରୁଛନ୍ତି। ଏବେ ସୁଦ୍ଧା ୧୬୭ ମାମଲା ରୁଜୁ କରାଯାଇଛି । ଯେଉଁଥିରୁ ୧୩ଟି ଅନଲାଇନ୍ ରେ ବିବାଦୀୟ ପୋଷ୍ଟ ପାଇଁ କରାଯାଇଛି । ସେହିପରି ୮୮୫ ସଦିଗ୍ଧଙ୍କୁ ଗିରଫ କରାଯାଇଛି ।

ମୃତକଙ୍କ ସଂଖ୍ୟା ୪୩ରେ ପହଁଞ୍ଚିଥିବା ବେଳେ ଗୁରୁ ତେଗ ବାହାଦୂର ଡାକ୍ତରଖାନା ଓ ଏଲଏନଜେପି ହସ୍ପିଟାଲରେ ୨୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି ।  ଏଭିତତରେ ହିସଂକୁ ୭ ଦିନ ବିତିଥିବା ବେଳେ ଆଜି ଠାରୁ ମୃତକ ଓ ଆହତ ପରିବାରକୁ ଅନୁକମ୍ପା ପ୍ରଦାନ କରାଯାଉଛି। ଯେଉଁଲୋକଙ୍କ ଘର ନାହିଁ, ସେମାନଙ୍କ ପାଇଁ ଆଶ୍ରୟ ଗୃହର ବ୍ୟବସ୍ଥା କରାଯାଉଛି । ସମସ୍ତ ଏଡିଏମଙ୍କୁ କୁହାଯାଇଛି କି, ହିଂସା ଯୋଗୁଁ ଘର ଛାଡ଼ିଥିବା ଲୋକଙ୍କୁ ଫେରାଇ ଅଣାଯାଉ । ହିଂସା ଯୋଗୁଁ ୪ଟି ସବଡିଭିଜନ ପ୍ରଭାବିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.