୧୨ ଦିନରେ ୧୬ ଜଣଙ୍କୁ ଦଳି ମାରି ସାରିଲାଣି ଦନ୍ତାହାତୀ, ରାଞ୍ଚିରେ ୧୪୪ ଧାରା ଜାରି

Published By : Prameya-News7 Bureau | February 21, 2023 IST

ରାଞ୍ଚି: ଝାଡଖଣ୍ଡରେ ହାତୀ ଆତଙ୍କ ଜାରି ରହିଛି। ହାତୀପଲରୁ ଏକା ହୋଇଯାଇଥିବା ଗୋଟିଏ ଦନ୍ତା ହାତୀ ରାଞ୍ଚି ଉପକଣ୍ଠ ଅଞ୍ଚଳରେ ଆତଙ୍କ ଖେଳାଇ ଚାଲିଛି। ଗତ ୧୨ ଦିନରେ ୧୬ ଜଣଙ୍କ ଜୀବନ ନେଇ ସାରିଲାଣି। ସ୍ଥିତି ଏମିତି ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।  ସଦ୍ୟତମ ଘଟଣା ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ଘଟିଛି। ଏଠାରେ ହାତୀପଲରୁ ଅଲଗା ହୋଇ ଯାଇଥିବା ହାତୀ ୫ ଜଣଙ୍କୁ ଦଳିଥିବା ବେଳେ ଏଥିରୁ ଚାରି ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ରିମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୧୨ ଦିନରେ ହଜାରୀବାଗ, ରାମଗଢ, ଚତରା, ଲୋହରଦଗା ଏବଂ ରାଞ୍ଚି ଜିଲ୍ଲାରେ  ହାତୀ ୧୬ ଜଣଙ୍କୁ ଦଳି ମାରି ସାରିଛି। ରାଜ୍ୟର ଲୋହରଦଗା, ହଜାରିବାଗ, ଗଢଓ୍ଵା, ଲାତେହାର, ଚାଇବାସା ପରେ ଏବେ ରାଞ୍ଚିରେ ହାତୀଙ୍କ ଉତ୍ପାତ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ରାଞ୍ଚିର ଝଟକୀ ଉପଖଣ୍ଡରେ ହାତୀ ୫ ଜଣଙ୍କୁ ଦଳି ମାରି ସାରିଛି। ଏଥିରେ ସୁଖବୀର ଓରାମ, ଗୋବିନ୍ଦା ଓରାମ, ପୁନିଆ ଦେବୀ ଏବଂ ରାଖବା ଦେବୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଏତବା ଓରାମଙ୍କୁ ରିମ୍ସରେ ଭର୍ତ୍ତି କରାଯାଇଛି। ଘଟଣାର ସୂଚନା ମିଳିବା ପରେ ବନ ବିଭାଗ ଏବଂ ପୋଲିସ୍ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକଙ୍କ ମୃତଦେହକୁ ଶବବ୍ୟବଚ୍ଛଦ ପାଇଁ ପଠାଯାଇଛି।

ସୂଚନାଯୋଗ୍ୟ, ପ୍ରଶାସନକୁ ପୂର୍ବରୁ ହିଁ ରାଞ୍ଚିର ଇଟକୀ ଅଞ୍ଚଳରେ ହାତୀପଲରୁ ଗୋଟିଏ ହାତୀ ଅଲଗା ହୋଇ ଯାଇଥିବା ସୂଚନା ମିଳିଥିଲା। ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ରାଞ୍ଚି ସଦର ଏସଡିପିଓ ଇଟାକିରେ ପରିବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଧାରା-୧୪୪ ଜାରି କରାଯାଇଥିଲା। ଲୋକଙ୍କୁ ଘର ବାହାରକୁ ନଯିବା ଏବଂ ବିପଦପୂର୍ଣ୍ଣ ଅଞ୍ଚଳକୁ ନଯିବାକୁ ମନା କରାଯାଇଥିଲା। ଏହା ପରେ ବି ଦୁଃଖଦାୟକ ଘଟଣା ଘଟି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.