ବିଶ୍ବ ଅର୍ଥନୀତିରେ ସତର୍କ ଘଣ୍ଟି; ମାଡ଼ି ଆସୁଛି ଭୟଙ୍କର ମାନ୍ଦାବସ୍ଥା, ଚୀନରେ ଚରମ ସ୍ତରରେ ବେକାରି ସମସ୍ୟା

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ: ବିଶ୍ୱର ଦ୍ୱିତୀୟ ବୃହତ୍‌ ଅର୍ଥବ୍ୟବସ୍ଥା ଚୀନ୍‌ରେ କିଛି ଠିକ୍‌ ନାହିଁ । ଦେଶରେ ୨୦୦୮ ଭଳି ମାନ୍ଦାବସ୍ଥା ଲକ୍ଷଣ ଦେଖିବାକୁ ମିଳିଲାଣି ।  ଆଗକୁ ଚୀନ୍‌ରେ ଭୟଙ୍କର ମାନ୍ଦାବସ୍ଥା  ଦେଖାଦେବ ବୋଲି ଆଶଙ୍କା କରୁଛନ୍ତି  ବିଶେଷଜ୍ଞ । ଏହା କେବଳ ଡ୍ରାଗନ୍‌କୁ ପ୍ରଭାବିତ କରିବ ନାହିଁ, ସମଗ୍ର ବିଶ୍ୱ ଅର୍ଥବ୍ୟବସ୍ଥା ସଂକଟଜନକ ସ୍ଥିତିକୁ ନେଇଯିବ । 

୨୦୨୦ ଲକ୍‌ଡାଉନ୍‌ ସମୟରେ ଅର୍ଥବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ପାଇଁ ଯେପରି ପ୍ୟାକେଜ୍‌ ଅଣାଯାଇଥିଲା ବର୍ତ୍ତମାନ ସମାନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛନ୍ତି ଚୀନ୍‌ ସରକାର । ଦେଶର ଅର୍ଥନୀତିକୁ ଗତି ଦେବା ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି ।

ତଥ୍ୟ ଅନୁସାରେ, ଚୀନ୍‌ର ରିୟଲ  ଇଷ୍ଟେଟ୍‌ ସୂଚକାଙ୍କ ଦୁଇ ବର୍ଷରେ ୮୨%  ସଂକୁଚିତ ହୋଇଛି । ଦେଶରେ ୧୯୯୯  ପରେ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି ।  ବେକାରି ହାର ବହୁ ଦଶନ୍ଧିର ଉଚ୍ଚ  ସ୍ତରରେ ପହଞ୍ଚିଯାଇଛି । ଆମେରିକା ସହ ଏହାର ବିବାଦ ଚରମ ସ୍ତରରେ । ସେୟାର ବଜାର ସ୍ଥିତି ଦିନକୁ ଦିନ ଅଧିକ ବିକୃତ ହେବାରେ ଲାଗିଛି । ପ୍ରଶ୍ନ ଉଠୁଛି ଯେ, ଚୀନ୍‌ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥା ଆଡ଼କୁ ନେଇଯାଉନି ତ ?  

ଚୀନ୍‌ରେ ମାନ୍ଦାବସ୍ଥା ଆସିବା ଦ୍ୱାରା ସାରା ବିଶ୍ୱ ପ୍ରଭାବିତ ହେବ । ଏହାର କାରଣ ହେଉଛି, ଗତ ୩ ଦଶନ୍ଧିରୁ ଚୀନ୍‌ ବିଶ୍ୱ ଅର୍ଥନୀତିର ଇଞ୍ଜିନ୍ ରହିଆସିଛି । ବିଶ୍ୱ ବଜାରଗୁଡ଼ିକରେ ଚୀନ୍‌ର ମାଳ ମାଳ ଉତ୍ପାଦ । ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର କେତେକ କମ୍ପାନି ଚୀନ୍‌ରେ ଭଲ ବ୍ୟବସାୟ କରୁଛନ୍ତି । କିନ୍ତୁ ସେଠାରେ ମାନ୍ଦାବସ୍ଥା ଦ୍ୱାରା ଏସବୁ କମ୍ପାନିଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ । ଜାପାନ ଭଳି ଚୀନ୍‌ ଅର୍ଥନୀତି ଠପ୍ ହୋଇଯିବ ବୋଲି ଆଶଙ୍କା କରାଯାଉଛି । ଚୀନ୍‌ରେ ମାନ୍ଦାବସ୍ଥା ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି ବୋଲି ଅର୍ଥନୀତିଜ୍ଞମାନେ ପ୍ରକାଶ କରିଛନ୍ତି ।  

ଚୀନ୍‌ ଅର୍ଥନୀତିରେ ସବୁଠୁ ବଡ଼ ସମସ୍ୟା ରିୟଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ରହିଛି । ଦେଶର ଅର୍ଥବ୍ୟବସ୍ଥାରେ ଏହି ଶିଳ୍ପର ପ୍ରାୟ ଏକ ତୃତୀୟାଂଶ ଯୋଗଦାନ ରହିଛି କିନ୍ତୁ ଗତ କିଛି ବର୍ଷ ହେବ ଏ ଶିଳ୍ପ ଭୟଙ୍କର ସଂକଟ ମଧ୍ୟରେ ଫସିରହିଛି । ଏହାର ଆରମ୍ଭ ୨୦୨୧ରେ ହୋଇଥିଲା,  ଯେତେବେଳେ ଦେଶର ସର୍ବବୃହତ୍‌ ରିୟଲ  ଇଷ୍ଟେଟ୍‌ କମ୍ପାନିଗୁଡ଼ିକ ମଧ୍ୟରୁ ଅନ୍ୟତମ  ଏଭର୍‌ଗ୍ରାଣ୍ଡ୍‌ ବୁଡ଼ିଗଲା । ଫଳରେ ଗତ  ଦୁଇ ବର୍ଷରେ ଦେଶର ରିୟଲ ଇଷ୍ଟେଟ୍‌  ସୂଚକାଙ୍କ ୮୨% ଖସି ୨୦୦୮ ସ୍ତରରେ  ପହଞ୍ଚିଯାଇଛି । ରିୟଲ ଇଷ୍ଟେଟ୍‌ ବୁଡ଼ିବା  ଫଳରେ ବ୍ୟାଙ୍କିଙ୍ଗ୍‌ ଶିଳ୍ପ ଉପରେ  ମଧ୍ୟ ବିପଦ ରହିଛି । କାରଣ ଚୀନ୍‌ର  ବ୍ୟାଙ୍କଗୁଡ଼ିକ ରିୟଲ ଇଷ୍ଟେଟ୍‌ ଶିଳ୍ପରେ  ବଡ଼ ଆକାରରେ ନିବେଶ କରିଛନ୍ତି ।  

ଚୀନ୍‌ରେ ୧୯୯୯ ପରଠାରୁ ସବୁଠୁ ଲମ୍ବା ଅବସ୍ଫୀତି ଚାଲିଛି । ୨୦୦୮ରେ   ଦେଶରେ ଲଗାତର ୫ଟି ତ୍ରୟମାସ ପର୍ଯ୍ୟନ୍ତ ଅବସ୍ଫୀତି ସ୍ଥିତି ରହିଥିଲା ।  ବର୍ତ୍ତମାନ ଏହା ଆହୁରି ଲମ୍ବା ସମୟ ଧରି  ଲାଗିରହିଛି । ମୁଦ୍ରାସ୍ଫୀତିଠାରୁ ଅବସ୍ଫୀତି  ସ୍ଥିତି ଭୟଙ୍କର । ଏହା ଅର୍ଥନୀତି ପାଇଁ  ଭଲ ସଂକେତ ନୁହେଁ । ଚୀନ୍‌ରେ ବେକାରି ହାର ବହୁ ଦଶନ୍ଧିର ଚରମ ସ୍ତରରେ ପହଞ୍ଚିଯାଇଛି । ବିନିର୍ମାଣ   ସୀମିତ ହୋଇଯାଇଛି ଏବଂ ରିୟଲ ଇଷ୍ଟେଟ୍‌ କ୍ଷେତ୍ର ଶିଥିଳ ପଡ଼ିଯିବାରୁ ନିର୍ମାଣ କାର୍ଯ୍ୟ ଠପ୍‌ ହୋଇଯାଇଛି । ଉପଭୋକ୍ତା ଚାହିଦା  ଦୁର୍ବଳ । 

ଚୀନ୍‌ର ଗ୍ରାହକ ଏଭଳି ଭାବେ ଖର୍ଚ୍ଚ କରୁଛନ୍ତି ଯେପରି ଦେଶରେ ମାନ୍ଦାବସ୍ଥା ରହିଛି । ଅର୍ଥନୀତିକୁ ଗତି ଦେବା ପାଇଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଇତିମଧ୍ୟରେ   କେତେକ ଘୋଷଣା କରିଛି ।  ଚୀନ୍‌ ପୁଞ୍ଜି ସଂଗ୍ରହ କରିବା ପାଇଁ  ଆମେରିକାର ଟ୍ରେଜେରି ସିକ୍ୟୋରିଟିଜ୍‌ରେ ଏହାର ହୋଲ୍‌ଡିଂ କମ୍‌ କରୁଛି । ଏବେ ଏହାର ହୋଲ୍‌ଡିଂ ୭୮୦୦୦ କୋଟି ଡଲାର ଅଛି, ଯାହା ୧୫ ବର୍ଷ ମଧ୍ୟରେ ସବୁଠୁ କମ୍‌ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.