ଗୁଜରାଟ ନିର୍ବାଚନ; ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୩ଟି ଆସନରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | December 05, 2022 IST

ଗାନ୍ଧିନଗର: ଗୁଜରାଟରେ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ । ମୋଟ୍ ୯୩ଟି ବିଧାନସଭା ଆସନରେ ମତଦାନ ଚାଲିଛି । ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୫ଟା ଯାଏଁ ଚାଲିବ ମତଦାନ । ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୨.୫୪ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ।

ଡିସେମ୍ବର ୧ତାରିଖରେ ଗୁଜରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିଲା । ଡିସେମ୍ବର ୫ ତାରିଖ ଅର୍ଥାତ୍ ସୋମବାର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ୧୪ଟି ଜିଲ୍ଲାର ମୋଟ୍ ୯୩ଟି ବିଧାନସଭା ଆସନରେ ନେତା ବାଛୁଛନ୍ତି ଜନତା । ଦ୍ବିତୀୟ ଚରଣରେ ପ୍ରାୟ ୨କୋଟି ୫୪ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଏଥିପାଇଁ ୧୪ହଜାର ୯୭୫ଟି ବୁଥ୍ ବ୍ୟବସ୍ଥା ହୋଇଥିବା ବେଳେ ୮୪ହଜାର ପୋଲିଂ ଅଫିସର ନିୟୋଜିତ ହୋଇଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଆହମ୍ମଦାବାଦ, ଭଦୋଦରା, ଗାନ୍ଧିନଗର ଆଦି ବିଧାନସଭା ଆସନରେ ଭୋଟିଂ ଚାଲିଛି । ୬୧ ରାଜନୈତିକ ଦଳର ମୋଟ୍ ୮୩୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।  

୨୦୧୭ ବିଧାନସଭା ନିର୍ବାଚନରେ ୯୩ଟି ବିଧାନସଭା ଆସନରୁ ବିଜେପି ୫୧ଟି ବିଜୟୀ ହୋଇଥିଲା । ସେହିପରି କଂଗ୍ରେସ ହାତକୁ ଯାଇଥିଲା ୩୯ଟି ଆସନ । ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।

ଗୁଜରାଟର ମୋଟ୍ ୧୮୨ଟି ବିଧାନସଭା ଆସନରୁ ପ୍ରଥମ ପ୍ରର୍ଯ୍ୟାୟରେ ୮୯ଟି ସିଟ୍ ଭୋଟିଂ ସରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ମତଦାନ ଚାଲିଛି । ଆସନ୍ତା ୮ତାରିଖରେ ଭୋଟ ଗଣତି ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.