ଆମେରିକାରେ ଡେଙ୍ଗୁର ଦ୍ୱିତୀୟ ଟିକାକୁ ମିଳିଲା WHOଙ୍କ ମଞ୍ଜୁରୀ, ତିଆରିଛନ୍ତି ଜାପାନୀ ଫାର୍ମା କମ୍ପାନୀ

Published By : Prameya-News7 Bureau | May 15, 2024 IST

ଜେନେଭା ୧୫।୫:  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ବୁଧବାର ଡେଙ୍ଗୁର ଦ୍ୱିତୀୟ ଟିକାକୁ ମଞ୍ଜୁରୀ ଦେଇଛି। ଏହା ଏକ ଏପରି ପଦକ୍ଷେପ ଯାହା ସାରା ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କୁ ମଶାଜନିତ ରୋଗରୁ ସୁରକ୍ଷା ପ୍ରଦାନ କରିପାରିବ। ଉଲ୍ଲେଖଯୋଗ୍ୟ ଯେ ଚଳିତବର୍ଷ ପୁରା ଆମେରିକାରେ ଡେଙ୍ଗୁ ପ୍ରକୋପ କରିଛି। ଏଥିରେ ଜାତି ସଂଘ ସ୍ୱାସ୍ଥ୍ୟ ଏଜେନ୍ସୀ ବୁଧବାର ଜାପାନୀ ଫାର୍ମାସ୍ୟୁଟିକଲ ଟାକେଡା ଦ୍ୱାରା ତିଆରି ହୋଇଥିବା ଡେଙ୍ଗୁ ଭାକ୍ସିନକୁ ମଞ୍ଜୁରୀ ଦେଇଥିବାର ଘୋଷଣା କରିଛନ୍ତି। 

ଫଳରେ ଡେଙ୍ଗୁର ଉଚ୍ଚ ହାର ରହୁଥିବା ଅଞ୍ଚଳରେ ବସବାସ କରୁଥିବା ୬ରୁ ୧୬ ବର୍ଷର ପିଲାଙ୍କଠାରେ ଏହାର ଉପଯୋଗ ନିମନ୍ତେ ସୁପାରିଶ କରାଯାଇଛି। ଦୁଇ ଡୋଜର ଏହି ଟିକା ୪ ପ୍ରକାର ଡେଙ୍ଗୁରୁ ପିଲାଙ୍କୁ ରକ୍ଷା କରିବ। ଟାକେଡାର ଡେଙ୍ଗୁ ଭାକ୍ସିନ ‘କ୍ୟୁଡେଙ୍ଗା’ କୁ ୨୦୨୨ ମସିହାରେ ପ୍ରଥମ ଥର ୟୁରୋପୀୟ ମେଡିସିନ ଏଜେନ୍ସୀ ମଞ୍ଜୁର କରିଥିଲେ। ଏଥିରେ ଏବେ ଡବ୍ଲୁଏଚଓ ମଞ୍ଜୁର କରିଥିବାରୁ ଏବେ ଜାତିସଂଘ ଏଜେନ୍ସୀମାନେ ଗରିବ ଦେଶଙ୍କ ନିମନ୍ତେ ଏହି ଭାକ୍ସିନ କିଣି ପାରିବେ। 

ଅଧ୍ୟୟନରୁ ଜଣାପଡିଛି ଯେ ଟେକେଡାର ଏହି ଟିକା ଲୋକଙ୍କୁ ଡେଙ୍ଗୁରେ ପୀଡ଼ିତ ହେଲେ ହସ୍ପିଟାଲ ଆଡମିସନକୁ ୮୪ ପ୍ରତିଶତ ଓ ଲକ୍ଷଣ ରୋକିବା ଲାଗି ୬୧ ପ୍ରତିଶତ ପ୍ରଭାବୀ। ଡବ୍ଲୁଏଚଓଙ୍କ ଔଷଧ ଏବଂ ଟିକା ଅନୁମୋଦନ ନିମନ୍ତେ ନିର୍ଦ୍ଦେଶକ ରୋଜେରିୟୋ ଗ୍ୟାସ୍ପର କହିଛନ୍ତି ଯେ ଏହା ଡେଙ୍ଗୁ ଟିକାର ବୈଶ୍ୱିକ ପହଞ୍ଚକୁ ବିସ୍ତାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ସେ କହିଛନ୍ତି ଯେ ଏହା ଦ୍ୱିତୀୟ ଟିକାକରଣ ଯାହାକୁ  ଜାତିସଂଘ ଏଜେନ୍ସୀ ଡେଙ୍ଗୁ ନିମନ୍ତେ ପ୍ରାଧିକୃତ କରିଛନ୍ତି। 

ଡବ୍ଲୁଏଚଓ ଦ୍ୱାରା ଅନୁମୋଦିତ ପ୍ରଥମ ଟିକା ସନୋଫି ପାଶ୍ଚର ଦ୍ୱାରା ତିଆରି ହୋଇଥିଲା, ଯାହା ପରେ ସେହି ଲୋକଙ୍କ ଠାରେ ଡେଙ୍ଗୁର ବିପଦ ବୃଦ୍ଧି କରୁଥିବା ଦେଖାଯାଇଥିଲା ଯେଉଁମାନେ ପୂର୍ବରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇନଥିଲେ। ପାଖାପାଖି ୧୨୦ ଲାଟିନ ଆମେରିକୀୟ ଓ ଏସିୟ ଦେଶରେ  ଡେଙ୍ଗୁର କୌଣସି ସ୍ୱତନ୍ତ୍ର ଚିକିତ୍ସା ନାହିଁ। ଏଣୁ ଏହି ସବୁ ଦେଶରେ ରୋଗ ଓ ମୃତ୍ୟୁର ପ୍ରମୁଖ କାରଣ ଡେଙ୍ଗୁ ପାଲଟିଛି। ଡେଙ୍ଗୁର ୮୦ ପ୍ରତିଶତ ସଂକ୍ରମଣ ହାଲୁକା ହୋଇଥାଏ। ହେଲେ ଗୁରୁତର ମାମଲାରେ ଆନ୍ତରିକ ରକ୍ତସ୍ରାବ, ଅଙ୍ଗ ବିଫଳତା ଓ ମୃତ୍ୟୁ ହୋଇପାରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.