5T ସଚିବଙ୍କ କଳାହାଣ୍ଡି ଗସ୍ତର ୨ୟ ଦିନ; ଥୁଆମୁଳ-ରାମପୁରରେ ଯୁକ୍ତ ୩ କଲେଜ ପ୍ରତିଷ୍ଠା ନେଇ ପାଣ୍ଡିଆନଙ୍କ ଘୋଷଣା

Published By : Prameya-News7 Bureau | May 20, 2023 IST

କଳାହାଣ୍ଡି I ଭୁବନେଶ୍ୱର ୨୦/୦୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଶନିବାର କଳାହାଣ୍ଡି ଗସ୍ତର ଦ୍ବିତୀୟ ଦିନରେ ଅନେକ ପ୍ରକଳ୍ପ ପରିଦର୍ଶନ କରି ତାର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମେ ସେ ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ  ଅଞ୍ଚଳ ଗସ୍ତ କରି ସେଠାରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଞ୍ଜିନିଅରଙ୍କ ସହ ଆଲୋଚନା କରିଛନ୍ତି। ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ସେ ନିଷ୍ପତ୍ତି ନେଇଥିଲେ। ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏକ ମାସ ମଧ୍ୟରେ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହାପରେ ସେ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ସେଠାରେ ଏକ ଯୁକ୍ତ୩ ଡିଗ୍ରୀ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ। ଏହାଦ୍ବାରା ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ଭଟଙ୍ଗପଦର ହାଇସ୍କୁଲ ପଡିଆରେ ସେ ସ୍ଥାନୀୟ ଛାତ୍ରଛାତ୍ରୀ ଓ ମିଶନ ଶକ୍ତି ମହିଳା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ ଓ ଏହାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

କଳାହାଣ୍ଡିର ଥୁଆମୁଳ-ରାମପୁରରେ ପ୍ରସିଦ୍ଧ ମା ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରି ସେ ମା’ଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟଙ୍କ ସହିତ ଆଲୋଚନା କରି ଏହାର ପୁନର୍ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିପାଇଁ ଖର୍ଚ୍ଚ ଆକଳନ କରି ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି। କଲମପୁର ମିନି ଷ୍ଟାଡିଅମରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଷ୍ଟାଡିଅମର ଅଧିକ ଉନ୍ନତି ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଏହାପରେ ପାଣ୍ଡିଆନ ମଙ୍ଗଳପୁର ବ୍ୟାରେଜରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିଅମ ପରିଦର୍ଶନ କରିଥିଲେ। ସେଠାରେ ମା ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଥିଲେ। ଏହି ମନ୍ଦିର ଓ ମ୍ୟୁଜିଅମ ପାଇଁ ଆହୁରି ଅତିରିକ୍ତ ୧୪ କୋଟି ଟଙ୍କା ଦିଆଯିବ ବୋଲି ସେ ସୂଚନା  ଦେଇଛନ୍ତି। ଏହାପରେ ସେ ଇନ୍ଦ୍ରାବତୀ ଦକ୍ଷିଣ କେନାଲର ଲାଇନିଂ କାମ ବୁଲି ଦେଖିଥିଲେ। ଏହି କାମ ଠିକ୍‌ ସମୟରେ ଶେଷ କରିବାକୁ ସେ ବିଭାଗୀୟ ଇଂଜିନିଅରମାନଙ୍କୁ ପରାମର୍ଶ ଦେଇଥିଲେ।

ଆମପାଣି ଠାରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ପାଣ୍ଡିଆନ ପୂର୍ଜାର୍ଚ୍ଚନା କରିଥିଲେ ଏବଂ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୫ ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଡୋକ୍ରିଚାଞ୍ଚରା ଓ ଗୁଡହାଣ୍ଡିରେ ସ୍ଥାନୀୟ ଲୋକ ଓ ବନ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପଦକ୍ଷପ ନେବାକୁ ଡିଏଫଓଙ୍କୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଗୋଟିଏ ମାସ  ମଧ୍ୟରେ  DPR ପ୍ରସ୍ତୁତ  କରିବା ପାଇଁ  ପରାମର୍ଶ  ଦେଇଥିଲେ।

ସେହିପରି ଧର୍ମଗଡରେ ମା ଭଣ୍ଡାରଘରଣୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଏବଂ ଏହା ଅଧିକ ଉନ୍ନତି ପାଇଁ ପ୍ରସ୍ତାବ ଆହ୍ଵାନ  ଦେଇଥିଲେ। ଗମ୍ଭାରୀଗୁଡାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଯଶୋଦା  ଆଶ୍ରମରେ  ଡାଇନିଙ୍ଗ୍‌ହଲ୍‌, କମ୍ପ୍ୟୁଟର ରୁମ୍‌, ପାଠାଗାର ଓ ପାର୍କର ବିକାଶ  କରାଯିବ ବୋଲି ପାଣ୍ଡିଆନ୍ କହିଥିଲେ। ପରେ 5T ସଚିବ ଯଶୋଦା ଆଶ୍ରମ  ଅନ୍ତେବାସୀଙ୍କ ସହିତ ମିଶି ମଧ୍ୟାହ୍ନ  ଭୋଜନ  ମଧ୍ୟ  କରିଥିଲେ।

ଏହାପରେ ସେ ଧର୍ମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରି ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେ ସବୁ ସ୍ଥାନର ଅଧିକ ବିକାଶ ପାଇଁ ସେମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.