ଆଦାନୀ ଗ୍ରୁପ ସେୟାରର ମୂଲ୍ୟ ହ୍ରାସରେ ଆସିଲା SEBIଙ୍କ ବୟାନ, କହିଲେ-ବଜାର ସହ ହେବନି ଖେଳ
4/02/2023 at 6:48 PM

ମୁମ୍ବାଇ ୪।୨: ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ କମ୍ପାନୀଙ୍କ ସେୟାରର ମୂଲ୍ୟ ହ୍ରାସରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେୟାର ବଜାରକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା ସେବି କହିଛନ୍ତି ଯେ ଆମେ ମାର୍କେଟ୍ ସହ କୌଣସି ପ୍ରକାର ଖେଳ ହେବାକୁ ଦେବୁନି। ଏହା ସହ ପୁରା ପ୍ରକରଣରେ ସମସ୍ତ ଜରୁରି ପଦକ୍ଷେପ ନିଆଯାଉଥିବା ସେବି କହିଛନ୍ତି। ତେବେ ସେବି ତାଙ୍କ ବୟାନରେ ଆଦାନୀ ଗ୍ରୁପର ନାମ ନେଇ ନାହାନ୍ତି।
ସେବି କହିଛନ୍ତି ଯେ ଗତ ସପ୍ତାହରୁ ଖାସ୍ ଏକ ବ୍ୟବସାୟୀକ ଗ୍ରୁପର ସେୟାର ମୂଲ୍ୟରେ ଅସାଧାରଣ ହ୍ରାସ ବୃଦ୍ଧି ଜାରି ରହିଛି। ବଜାର ସୂଚାରୁ ଓ କୁଶଳ ଭାବେ କାର୍ଯ୍ୟ କରିବା ପାଇଁ କୌଣସି ଖାସ ସେୟାରରେ ହ୍ରାସ ବୃଦ୍ଧିର ମୁକାବିଲା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା ମହଜୁଦ ଅଛି। ଜରୁରି ମାମଲା ସାମ୍ନାକୁ ଆସିଲେ ସେବି ସଂଜ୍ଞାନ ନେଇଥାନ୍ତି, ଏହାର ଯାଞ୍ଚ କରାଇଥାନ୍ତି ଓ ଉଚିତ କାର୍ଯ୍ୟାନୁଷ୍ଠାନ କରିଥାନ୍ତି। ସେବି କହିଛନ୍ତି ଯେ ବଜାରରେ ନିରପେକ୍ଷତା, କୁଶଳତା ଓ ମଜଭୁତ ଭିତ୍ତି ଭୂମି ବଜାୟ ରଖିବା ପାଇଁ ଆମେ ପ୍ରତିଶ୍ରୁତି ବଦ୍ଧ। ଏଣୁ ସେୟାର ବଜାର କିପରି ନର୍ବାଧ, ପାରଦର୍ଶି ଓ କୁଶଳ ରୂପେ କାମ କରିପାରିବ ଯେପରି ଏପର୍ଯ୍ୟନ୍ତ ଚାଲିଥିଲା ସେଥି ପାଇଁ ମଧ୍ୟ ଆମେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି।