ନୂଆଦିଲ୍ଲୀ ୦୪।୦୯: SEBI ମୁଖ୍ୟଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ନଥମୁଣୁ ସାମ୍ନାକୁ ଆସୁଛି ଆଉ ଏକ ବିବାଦ । ପୁଣି ବିବାଦରେ ଛନ୍ଦି ହୋଇଛନ୍ତି SEBI ମୁଖ୍ୟ ମାଧବୀ ପୁରୀ ବୁଚ । ବର୍ତ୍ତମାନ ତାଙ୍କ ବିରୋଧରେ ଅଫିସ୍ ପରିବେଶ ନଷ୍ଟ କରିବା, ସହକର୍ମୀଙ୍କ ସହ ଅସଦାଚରଣ କରିବା ଏବଂ ଅଶାଳୀନ ଭାଷା ବ୍ୟବହାର କରିବା ଭଳି ଗୁରୁତର ଅଭିଯୋଗ ହୋଇଛି।
ରିପୋର୍ଟ ଅନୁଯାୟୀ, SEBI ଅଧ୍ୟକ୍ଷଙ୍କ ବିରୋଧରେ ସରକାରଙ୍କ ନିକଟରେ ଏପରି ଅଭିଯୋଗ କରିଛନ୍ତି ସେବି ଅଧିକାରୀମାନେ । ରିପୋର୍ଟରେ କୁହାଯାଇଛି ଯେ ମାଧବୀ ପୁରୀଙ୍କ ଖରାପ ଆଚରଣ ଏବଂ କାର୍ଯ୍ୟ ପରିବେଶ ନଷ୍ଟ କରିଥିବା ଅଭିଯୋଗ ଗତ ମାସରେ ଅର୍ଥ ମନ୍ତ୍ରଣାଳୟରେ କରିଥିଲେ ଏହି ଅଭିଯୋଗ ।
SEBI ଅଧିକାରୀମାନେ ଅର୍ଥ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ସେମାନଙ୍କ ଅଭିଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମାଧବୀ ପୁରୀ ଟକ୍ସିକ୍ ଓ୍ବାର୍କ କଲଚରକୁ ପ୍ରୋତ୍ସାହିତ କରିଥାନ୍ତି । ତାଙ୍କ କାର୍ଯ୍ୟକାଳରେ ବୈଠକରେ କର୍ମଚାରୀଙ୍କ ଉପରେ ପାଟି କରିବା ଏବଂ ସମସ୍ତଙ୍କ ସାମ୍ନାରେ ସେମାନଙ୍କୁ ଅପମାନିତ କରିବା ଏକ ସାଧାରଣ କଥା । ତେବେ ଏହି ସମସ୍ୟାର ସମାଧାନ ହୋଇଛି ବୋଲି କହିଛି ସେବି ।
ଏହାକୁ ନେଇ ଇଟି ଦାବି କରିଛି ଯେ ଅଗଷ୍ଟ ୬ରେ ସେବି ଅଧିକାରୀଙ୍କ ଦ୍ୱାରା ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିବା ଚିଠିକୁ ଦେଖିଛି । ଯେଉଁଥିରେ SEBI ମୁଖ୍ୟ କାର୍ଯ୍ୟ ପରିବେଶ ନଷ୍ଟ କରୁଥିବା ଅଭିଯୋଗ ହୋଇଥିଲା । ରିପୋର୍ଟ ଅନୁଯାୟୀ, SEBI କର୍ମଚାରୀଙ୍କ ମୋଟ ସଂଖ୍ୟା ପ୍ରାୟ ୧ ହଜାର । କିନ୍ତୁ ମନ୍ତ୍ରଣାଳୟକୁ ପଠାଯାଇଥିବା ଅଭିଯୋଗ ପତ୍ରରେ ପ୍ରାୟ ୫୦୦ SEBI କର୍ମଚାରୀଙ୍କ ଦସ୍ତଖତ ରହିଛି।